ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାର ଆଜି ହୋଇଛି କ୍ରାଇମ ସିନ୍ ରିକ୍ରିଏସନ । ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଡେମୋ ଦେଖାଇଛନ୍ତି ୨ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ । ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଅକ୍ଟୋବର ୬ ତାରିଖରେ ଗୁଳି ମାରି ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲେ ଦୁଇ ଅଭିଯୁକ୍ତ । ଘଟଣା ଦିନ କେଉଁଠୁ ପୀତବାସଙ୍କ ଉପରକୁ ଗୁଳି ଚଳାଇଥିଲା, ସେହି ସମୟରେ ସହଯୋଗୀ ଜଣକ କେଉଁଠି କଣ କରୁଥିଲା ସେ ସମସ୍ତ ଘଟଣାର କ୍ରାଇମ ସିନ ରିକ୍ରିଏସନ କରି ଦେଖାଇଛନ୍ତି ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ । ପୋଲିସ ଉଭୟଙ୍କୁ ରିମାଣ୍ଡରେ ଆଣି ଘଟଣାସ୍ଥଳରେ ସିନ ରିକ୍ରିଏସନ କରିଛି । ଏହି ସମୟରେ ଘଟଣାସ୍ଥଳରେ ବ୍ରହ୍ମପୁର ଏସଡିପିଓ ପିୟୁଷ ରଞ୍ଜନ ଛୋଟରାୟଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଲୋକ ଜେନାଙ୍କ ସମେତ ବ୍ରହ୍ମପୁର ପୋଲିସ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । କୁରୁପତି ଭୂୟାଁ ଓ ଉମା ବିଷୋୟୀକୁ ପୋଲିସ ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରୁଥିବା ବେଳେ ଆଜି ମଣ୍ତଳ କାରାଗାରରେ ରହିଥିବା ଅଭିଯୁକ୍ତ କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳାଇ, ଚିଣ୍ଟୁ ପ୍ରଧାନ ଓ ଯୋଗୀ ରାଉତକୁ ପୋଲିସ ରିମାଣ୍ଡରେ ନେଇଛି । ପୋଲିସ ମୋଟ ୬ ଜଣଙ୍କୁ ରିମାଣ୍ଡରେ ନେଇ ଏହି ଘଟଣାର ଖୋଳତାଡ କରୁଛି ।














