ଦିଲ୍ଲୀ ଲାଲକିଲ୍ଲା କାର୍ ବିସ୍ଫୋରଣ ମାମଲାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିଛି କେନ୍ଦ୍ର ଗୃହ ବିଭାଗ । ଏହି ଘଟଣାକୁ ଏନଆଇଏ ତଦନ୍ତ କରିବ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ,ଏହା ପରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଆଇବି ନିର୍ଦ୍ଦେଶକ ତପନ ଡେକା, ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା ଏବଂ ଏନଆଇଏ ମହାନିର୍ଦ୍ଦେଶକ ସଦାନନ୍ଦ ବସନ୍ତ ଦାତେ ଉପସ୍ଥିତ ଥିଲେ । ଫରିଦାବାଦ ପୋଲିସ ଡାକ୍ତର ମୁଜାମ୍ମିଲ କାମ କରୁଥିବା ଏଆଇ ଫଲାହ ବିଶ୍ୱବିଦ୍ୟାଳୟରେ କର୍ତ୍ତୃପକ୍ଷଙ୍କ ସହିତ ୫୨ ଜଣ ଅନ୍ୟକର୍ମଚାରୀଙ୍କୁ ପଚରାଉଚରା କରିଛି ପୋଲିସ୍ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବିଶ୍ୱବିଦ୍ୟାଳୟ ବାହାରକୁ ନିଆଯାଇ ଫରିଦାବାଦ ମଡ୍ୟୁଲ୍ ସମ୍ପର୍କରେ ଅଲଗା ଜେରା କରାଯାଉଛି ।ଦିଲ୍ଲୀ ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡାକ୍ତର ଉମାର ମହମ୍ମଦର ବାପା ଗୁଲାମ ନବୀ ଦାରକୁ ଜମ୍ମୁ କାଶ୍ମୀର ପୋଲିସ ଉଠାଇ ନେଇଛି । ତାର ମାଆ ଏବଂ ଭାଇକୁ ମଧ୍ୟ ପୂର୍ବରୁ ଅଟକ ରଖାଯାଇଛି । ଗୁଲାମ ନବୀ ଜଣେ ଶିକ୍ଷକ ଅଟନ୍ତି । ମାନସିକ ଅସୁସ୍ଥତା ଯୋଗୁଁ ସେ ଅଧାରୁ ଚାକିରି ଛାଡ଼ିଛନ୍ତି । ଦିଲ୍ଲୀ ବିସ୍ଫୋରଣରୁ ମିଳିଥିବା ମୃତ ଦେହ ସହିତ ତାଙ୍କର ଡିଏନ୍ଏ ପରୀକ୍ଷା କରାଯାଇ ସେ ଉମାର କି ନୁହେଁ ତାହା ଚିହ୍ନଟ କରାଯିବ ।












