ଦିଲ୍ଲୀର ଲାଲକିଲ୍ଲାରେ ବିସ୍ଫୋରଣ ପରେ ଫରିଦାବାଦ ଆତଙ୍କୀ ମଡ୍ୟୁଲର ଖୁଲାସା ପାଇଁ ତଦନ୍ତ ଜାରି ରଖିଛି । ଏହି ମାମଲା ଦିଲ୍ଲୀ, ହରିୟାଣାଠୁ ନେଇ କଶ୍ମୀର ଓ ତୁର୍କୀ ପର୍ଯ୍ୟନ୍ତ ଲମ୍ବିଛି । ବିସ୍ଫୋରଣ ଜମ୍ମୁ-କାଶ୍ମୀର ସହିତ ଜଡିତ, ତେଣୁ ଏଜେନ୍ସିଗୁଡ଼ିକ ଏବେ ସେଠାରେ ସନ୍ଦିଗ୍ଧ ଲୋକଙ୍କୁ ଖୋଜୁଛନ୍ତି। ବିସ୍ଫୋରଣ ପରଠାରୁ ଜମ୍ମୁ-କାଶ୍ମୀର ପୋଲିସ ୫୦୦ ସ୍ଥାନରେ ଚଢାଉ କରି ୬୦୦ ଜଣଙ୍କୁ ଅଟକ ରଖିଛି। ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ଏଯାଏଁ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୮ ଜଣଙ୍କୁ ଗିରଫ କରାଯାଇଛି । ଯେଉଁଥିରେ ୬ ଜଣ ଡାକ୍ତର ଏବଂ ୨ ଜଣ ମୌଲବୀ ଅଟନ୍ତି । ଜମ୍ମୁ କାଶ୍ମୀର ପୋଲିସ ଜମାତ-ଏ-ଇସଲାମି ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଛି । ତଦନ୍ତକାରୀ ସଂସ୍ଥାଗୁଡ଼ିକ ଅନୁସାରେ ଜମାତ-ଏ-ଇସଲାମି ଜମ୍ମୁ-କାଶ୍ମୀରରେ ପୁଣି ଥରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରିବାକୁ ଚାହୁଁଛି । ଶ୍ରୀନଗର, କୁଲଗାମ, ପୁଲୱାମା, ଶୋପିଆନ, ବାରାମୁଲ୍ଲା ସହିତ ଅନେକ ଜିଲ୍ଲାରେ ଚଢାଉ କରାଯାଇଛି । ଡାକ୍ତର ମଡ୍ୟୁଲ୍ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । “ହ୍ୱାଇଟ୍-କଲର ଆତଙ୍କବାଦୀ” ମଡ୍ୟୁଲ୍ ସହିତ ଜଡିତ ୨୦୦ ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛନ୍ତି। ପୋଲିସ ବାରାମୂଲାର ସୋପୋରରେ ୩୦ ଟି ସ୍ଥାନରେ ଚଢାଉ କରିଛି। ଚଢାଉ ସମୟରେ ଉଗ୍ରବାଦୀ ସାମଗ୍ରୀ ଜବତ କରାଯାଇଥିଲା, ଯେଉଁଥିରେ ନିଷିଦ୍ଧ ସଂଗଠନର ଗ୍ୟାଜେଟ୍ ଏବଂ ପୋଷ୍ଟର ମଧ୍ୟ ସାମିଲ ଥିଲା।














