ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟକୁ ଜାତୀୟ ମୂଲ୍ୟାଙ୍କନ ଏବଂ ମାନ୍ୟତା ପରିଷଦ (NAAC) ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନିଜ ୱେବ୍ ସାଇଟ୍ ରେ ଭୁଲ ମାନ୍ୟତା ପ୍ରଦର୍ଶନ କରିବା ଅଭିଯୋଗରେ ନାକ୍ ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲରେ ୩ ଜଣ ଡାକ୍ତର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟରେ କାମ କରୁଥିବା ଜଣାପଡ଼ିବା ପରେ ଏବେ ଏହି ବିଶ୍ୱବିଦ୍ୟାଳୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ବିଶ୍ୱବିଦ୍ୟାଳୟରେ ଅନେକ ଯାଞ୍ଚ କରାଯାଉଛି । ବିଶ୍ୱବିଦ୍ୟାଳୟ ତାର ୱେବ୍ ସାଇଟ୍ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି, ସେଥିପାଇଁ ନାକ୍ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନିଜ ୱେବ୍ ସାଇଟ୍ ରେ ପ୍ରଦର୍ଶନ କରାଯାଇଛି କି ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ଅଲ୍-ଫଲାହ ଚାରିଟେବଲ୍ ଟ୍ରଷ୍ଟର ଏକ ଅଂଶ । ଯାହାକି ଗୋଟିଏ କ୍ୟାମ୍ପସରେ ତିନୋଟି କଲେଜ ଚାଲୁଛି । ଅଲ୍ ଫଲାହ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, ଯାହା ୧୯୯୭ରେ ନାକ୍ ଗ୍ରେଡ୍-ଏ ମାନ୍ୟତା ପାଇଛି । ସେହିପରି ୨୦୦୮ରେ ପ୍ରତିଷ୍ଠା ହୋଇଥିବା ବ୍ରାଉନ୍ ହିଲ୍ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ଏବଂ ୨୦୦୬ରେ ନାକ୍ ଗ୍ରେଡ୍-ଏ ମାନ୍ୟତା ପାଇଥିବା ଅଲ୍-ଫଲାହ ସ୍କୁଲ ଅଫ୍ ଏଜୁକେସନ୍ ଆଣ୍ଡ୍ ଟ୍ରେନିଂ , କିନ୍ତୁ ଏହି ତିନୋଟି କଲେଜର ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଏହା କେବଳ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଭ୍ରମିତ କରିବାକୁ ତଥ୍ୟ ଦିଆଯାଇଛି । ଏପରି ଭ୍ରମାତ୍ମକ ତଥ୍ୟ ଦେଇଥିବାରୁ ନାକ୍ ପକ୍ଷରୁ ନୋଟିସ୍ ଜାରି ହୋଇଛି । ବିଶ୍ବବିଦ୍ୟାଳୟ ପରିସରର ରୁମ୍ ନମ୍ବର ୪ ଓ ୧୩ରୁ କିଛି ଡାଏରୀ ସହ ସନ୍ଦିଗ୍ଧ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଜବତ ହୋଇଥିବା ଡାଏରୀ ଗୁଡ଼ିକରେ ଅନେକ ଗୁପ୍ତ କୋଡ୍ ଲେଖା ଯାଇଛି। ସେଗୁଡ଼ିକୁ ଏବେ ଯାଞ୍ଚ କରାଯାଉଛି।














