ଗ୍ରାହକ ହୋଇ ବନ୍ଧୁକ ବେପାରୀ ବା ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ। ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ଶୁଭ୍ରାଂଶୁ ଏବଂ ଚନ୍ଦନ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ । ଗୁପ୍ତ ସୂଚନା ପାଇ
ସ୍ପେଶାଲ କ୍ରାଇମ ୟୁନିଟ ଲୁଟେରାଙ୍କ ନିକଟକୁ ଗ୍ରାହକ ସାଜି ଯାଇଥିଲା । ବନ୍ଧୁକ କିଣିବାକୁ ଯାଇ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ଗୋଟେ କାରବାଇନ ସହିତ ୫ଟି ମାଉଜର, ୯ଟି ଜୀବନ୍ତ ଗୁଳି, ୨ଟି ମୋବାଇଲ ଜବତ କରାଯାଇଛି । ଶୁଭ୍ରାଂଶୁ ଓ ଚନ୍ଦନ ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ଓଡ଼ିଶାରେ ବିକ୍ରି କରୁଥିଲେ । ଏହି ଗ୍ୟାଙ୍ଗରେ ଆହୁରି ଅଧିକ ସଦସ୍ୟ ଥିବା ଅନୁମାନ କରାଯାଉଛି । ଏହାର ମାଷ୍ଟରମାଇଣ୍ଡକୁ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି । ଗତ କିଛି ଦିନ ତଳେ ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ହତ୍ୟା ମାମଲା ସହିତ ଏହି ବେପାର ଜଡ଼ିତ ରହିଛି । ସେହି ମାମଲାର ଅଭିଯୁକ୍ତଙ୍କୁ ଜେରା କରିବା ସମୟରେ ବନ୍ଧୁକ ବେପାର ସାମ୍ନାକୁ ଆସିଥିଲା । ଏହା ପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ପୋଲିସ ବେପାରୀଙ୍କଠାରୁ ବନ୍ଧୁକ କିଣିବାକୁ ମୋଟା ଅଙ୍କର ଟଙ୍କାର ପ୍ରଲୋଭନ ଦେଖାଇଥିଲା । ଏହା ପରେ ସେମାନେ ବିହାରରୁ ବନ୍ଧୁକ ଆଣି ଗ୍ରାହକ(ପୋଲିସ) କୁ ଦେବା ସମୟରେ ପୋଲିସ୍ ଟିମ୍ ସେମାନଙ୍କୁ ଧରିଥିଲା ।

LEAVE A REPLY

Please enter your comment!
Please enter your name here