୨୦୨୪ ରେ ବାଂଲାଦେଶରେ ହୋଇଥିବା ନରସଂହାର ମାମଲାରେ ରାୟ ଶୁଣାଇଛନ୍ତି ବାଂଲାଦେଶ ଇଣ୍ଟରନ୍ୟାସନାଲ୍ କ୍ରାଇମ୍ ଟ୍ରିବୁନାଲ। ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ହାସିନାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଆଇସିଟି। ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ କମଲଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଛି। ପୂର୍ବତନ ପୋଲିସ ମୁଖ୍ୟ ଚୌଧୁରୀ ଅବଦୁଲ୍ଲା ଅଲ-ମାମୁନଙ୍କୁ ପାଞ୍ଚ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହି ହିଂସାତ୍ମକ ଆନ୍ଦୋଳନରେ ପ୍ରାୟ ୧୪୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଶୋଭାଯାତ୍ରାରେ ଏନସିପି ଛାତ୍ର ସଙ୍ଗଠନ ଓ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ସାମିଲ ହୋଇଥିଲେ।ସ୍ଥାନୀୟ ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ, ଜୁଲାଇରେ ଆନ୍ଦୋଳନ ସମୟରେ ହୋଇଥିବା ମୃତ୍ୟୁ ପାଇଁ ଶେଖ ହସିନା ଦାୟୀ ଥିବା ଅଭିଯୋଗ ହୋଇଥିଲା। ବିକ୍ଷୋଭକାରୀଙ୍କୁ ସେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ହସିନା ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଗିରଫ ପରୱାନା ଜାରି କରିଥିଲେ। ହାସିନା ଏହି ଘଟଣାରେ ମାନବତା ବିରୋଧରେ ଅପରାଧ ସହ ଜଡ଼ିତ ସବୁ ଅଭିଯୋଗକୁ ଅସ୍ୱୀକାର କରିଥିଲେ। କୋର୍ଟ ଜୁଲାଇରେ ବିଦ୍ରୋହ ପାଇଁ ହାସିନାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦଣ୍ଡ ଦେଇଛନ୍ତି। ଅନ୍ୟପଟେ ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ୍ ଙ୍କ ରାୟ ପୂର୍ବରୁ ଦେଶରେ ହାଇଆଲର୍ଟ ଜାରି ହୋଇଛି। ଶେଖ୍ ହାସିନାଙ୍କ ପାର୍ଟି ଆୱାମୀ ଲିଗ୍ ପକ୍ଷରୁ ଦେଶରେ ବନ୍ଦ ପାଳନ ହେଉଛି। ହିଂସା ଭିଆଇଲେ ତୁରନ୍ତ ଗୁଳି କରିବାକୁ ପୋଲିସକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।














