ସୋସିଆଲ୍ ମିଡ଼ିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ପାଇଁ ଅଡ଼ୁଆ ବଢ଼ିଛି ।ଶୁଭଙ୍କର ତାଙ୍କର ସୋସିଆଲ୍ ମିଡ଼ିଆ ପୋଷ୍ଟରେ ଏକ ଭିଡ଼ିଓ ଜାରି କରି କହିଥିଲେ ଯେ ଶ୍ରୀମନ୍ଦିରକୁ ଯେଉଁ ପ୍ରେମୀ ଯୁଗଳ ଆସନ୍ତି ସେମାନଙ୍କର ପ୍ରେମ ସଫଳ ହୁଏ ନାହିଁ ଏବଂ ସେମାନଙ୍କର ସମ୍ପର୍କ ଭାଙ୍ଗି ଯାଏ । କାରଣ ଶ୍ରୀମନ୍ଦିର ଉପରେ ରାଧାରାଣୀଙ୍କ ଅଭିଷାପ ପଡ଼ିଥିଲା । ରାଧାରାଣୀ ଯେତେବେଳେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟକୁ ଆସିଥିଲେ ସେତେବେଳେ ସେବାୟତମାନେ ତାଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ଅନୁମତି ଦେଇନଥିଲେ । ଯେଉଁଥିପାଇଁ ସେ ଅଭିଶାପ ଦେଇଥିଲେ ଯେ ଯେଉଁ ପ୍ରେମୀ ଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିର ଆସିବେ ତାଙ୍କର ପ୍ରେମ ସଫଳ ହେବ ନାହିଁ । ଶ୍ରୀମନ୍ଦିର ସେବାୟତ ଗୌରହରି ପ୍ରଧାନ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି । ଶ୍ରୀମନ୍ଦିର ଏବଂ ପ୍ରଭୁ ଜଗନ୍ନାଥଙ୍କ ବିଷୟରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଶୁଭଙ୍କରଙ୍କ ନାଁରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଜଗନ୍ନାଥ ସଂସ୍କୃତି ବିରୁଦ୍ଧରେ ଭ୍ରମାତ୍ମକ ଟିପ୍ପଣୀ ଦେଇଥିବା ଶୁଭଙ୍କରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଗୌରହରି। ସେହିପରି ସରକାର ବିଧାନସଭାରେ ତୁରନ୍ତ ଆଇନରେ ଆବଶ୍ୟକୀୟ ସଂଶୋଧନ କରିବା ସହ ନୂତନ ଆଇନ ପ୍ରଣୟନ କଲେ ଏଭଳି ଘଟଣାର ଆଉ ପୁନରାବୃତ୍ତି ହେବ ନାହିଁ ବୋଲି ସେ କହିଛନ୍ତି । ସେ କେଉଁ ଆଧାରରେ ଏବଂ ତଥ୍ୟ ଅନୁସାରେ ଏଭଳି ମନ୍ତବ୍ୟ ଦେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ । ବହୁତ ଦିନ ହେବ ବିବାଦ ଲାଗି ରହିଥିବାବେଳେ ଶୁଭଙ୍କର ମିଶ୍ର କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ଶୁଭଙ୍କର ପୁରୀ ଆସି କ୍ଷମା ମାଗନ୍ତୁ ବୋଲି ପୂର୍ବରୁ ଦାବି ହୋଇଥିଲା,ଏହି ଘଟଣାରେ ତଦନ୍ତ ହେବ ବୋଲି କହିଛନ୍ତି ପୁରୀ ଏସପି ପ୍ରତୀକ ସିଂହ ।

LEAVE A REPLY

Please enter your comment!
Please enter your name here