ବେଆଇନ କଫ୍ ସିରପ ଚୋରା ଚାଲାଣ ଓ ବ୍ୟବସାୟ କାରବାରରେ ରାଜ୍ୟ ପୋଲିସକୁ ମିଳିଛି ବଡ଼ ସଫଳତା । ୬୧ଟି ମାମଲା ରୁଜୁ କରାଯିବା ସହ ମୋଟ ୭୩,୧୮୧ ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ୧୮୧ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ରାଜ୍ୟ ପୋଲିସ ।ବେଆଇନ କଫ୍ ସିରପ୍ ଚୋରା ଚାଲାଣ ଓ ବ୍ୟବସାୟକୁ ରୋକିବାକୁ ଓଡିଶା ପୋଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି । ଗତ କିଛି ଦିନରେ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଅନେକ ଲୋକଙ୍କୁ ଗିରଫ କରାଯାଇ ସାରିଲାଣି । ଭୁବନେଶ୍ୱର ଏସଟିଏଫ୍ ସର୍ବାଧିକ ୨୬,୬୫୮ ବୋତଲ କଫ ସିରପ୍ ଜବତ କରି ଏହି ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସମ୍ବଲପୁର ଜିଲ୍ଲା ପୋଲିସ ୧୩ଟି ମାମଲା ରୁଜୁ କରିଛି ଓ ୧୯,୯୦୮ ବୋତଲ କଫ ସିରପ ଜବତ କରାଯାଇଛି । ବରଗଡ଼ ଜିଲ୍ଲା ପୋଲିସ ୧୭ଟି ମାମଲା , ବଲାଙ୍ଗୀର ୧୨ଟି ମାମଲା , ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ମାମଲା, ବୌଦ୍ଧ ଜିଲ୍ଲାରେ ୪ ଟି ମାମଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ମାମଲା ରୁଜୁ କରାଯାଇଛି । ସମ୍ବଲପୁର ଜିଲ୍ଲା ପୋଲିସ ୬୬ ଜଣଙ୍କୁ ଗିରଫ କରିଥିବା ବେଳେ, ବଲାଙ୍ଗୀର ପୋଲିସ ୨୩ , ସୁବର୍ଣ୍ଣପୁର ପୋଲିସ ୭ ଜଣ, ସୁନ୍ଦରଗଡ ୬ ଜଣ ବରଗଡ଼ ପୋଲିସ ୬୪ ଏବଂ କେଉଁଝର ଜିଲ୍ଲାରେ ୬ ଜଣଙ୍କୁ ଗିରଫ କରାଯାଇଛି । ରାଜ୍ୟ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲା ଏବଂ ବିଶେଷ ଟାସ୍କ ଫୋର୍ସକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ମଧ୍ୟ ଏପରି ଅଭିଯାନ ଚାଲି ରହିବ ଏବଂ ନିଶା ବ୍ୟବସାୟୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ।














