ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ନିୟନ୍ତ୍ରଣ ହରାଇ ଘାଟି ରାସ୍ତାର ୧୦୦ ମିଟର ତଳକୁ ଖସି ପଡିଛି, ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ ବସ୍‌ରେ ପ୍ରାୟ ୩୦ରୁ ୩୫ ଜଣ ଯାତ୍ରୀ ଯାତ୍ରା କରୁଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ବ୍ୟାସୀ ଏବଂ ଧଳୱାଲା ଚୌକିରୁ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଗମ ଘାଟି ଭିତରେ ପଡ଼ିଥିବା ବସ୍ ମଧ୍ୟରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉଦ୍ଧାର ହୋଇଥିବା ପ୍ରାୟ ୨୦ ଜଣ ଆହତ ଯାତ୍ରୀଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପ୍ରଶମନ ବାହିନୀର ମୁଖ୍ୟ ଅର୍ପଣ ଯଦୁବଂଶୀଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଉଦ୍ଧାରକାରୀ ଦଳକୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି।ସ୍ଥାନୀୟ ପୁଲିସ ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ବାହିନୀ ସହ ସମନ୍ୱୟ ରକ୍ଷା କରି ସହାୟତା ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି। ତେବେ କେଉଁ କାରଣରୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସିପଡ଼ିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here