ପାକିସ୍ତାନକୁ ଆମେରିକୀୟ ସାମରିକ ସହାୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ବାଲୁଚିସ୍ତାନର ବିଚ୍ଛିନ୍ନତାବାଦୀ ନେତା ମୀର ୟାର ବାଲୁଚି । ମୀର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅସୀମ ମୁନିରଙ୍କ ନେତୃତ୍ୱାଧୀନ ସେନା ଏବଂ ଶାହବାଜ ସରିଫଙ୍କ ସରକାରଙ୍କୁ ସମର୍ଥନ ନ କରିବାକୁ ନିବେଦନ କରିଛନ୍ତି । ବାଲୁଚିସ୍ତାନଙ୍କ ପକ୍ଷରୁ ବାଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ନେତା ମୀର ଏହି ଆବେଦ ସେତେବେଳେ କରିଛନ୍ତି ଯେତେବେଳେ ଆମେରିକା ପାକିସ୍ତାନର ଲଢ଼ୁଆ ଜେଟ୍ ଫ୍ଲିଟ୍ ଅପଗ୍ରେଡ୍ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ଟ୍ରମ୍ପ ପ୍ରଶାସନଠାରୁ ୬୮୬ନିୟୁତ ଡଲାରର ପ୍ୟାକେଜ୍ ପାଇଛି। ମିର ୟାରଙ୍କ ଏହି ଖୋଲା ଚିଠିରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ମୀର କହିଛନ୍ତି ଯେ ପାକିସ୍ତାନକୁ ଯୋଗାଉଥିବା ଅସ୍ତ୍ରଶସ୍ତ୍ର, ଏଫ-16 ଲଢ଼ୁଆ ବିମାନ ବାଲୁଚି ନାଗରିକମାନଙ୍କୁ ଦମନ କରିବା ପାଇଁ ବ୍ୟବହାର କରାଯାଉଛି। ଏହା ଆମେରିକା ପ୍ରତି ସ୍ପଷ୍ଟ ବିଶ୍ୱାସଘାତକତା। ଏଭଳି ପରିସ୍ଥିତିରେ, ଟ୍ରମ୍ପ ପାକିସ୍ତାନକୁ ତାଙ୍କ ସହାୟତା ଉପରେ ପୁନର୍ବିଚାର କରିବା ଉଚିତ।ଟ୍ରମ୍ପଙ୍କୁ ସମ୍ବୋଧିତ କରି ମୀର ତାଙ୍କ ଚିଠିରେ କହିଛନ୍ତି, ୭୭ ବର୍ଷ ଧରି ବାଲୁଚ୍ ଲୋକମାନେ ପାକିସ୍ତାନ ଦ୍ୱାରା ଦଖଲ, ବଳପୂର୍ବକ ନିଖୋଜ ଏବଂ ନରସଂହାରର ସମ୍ମୁଖୀନ ହୋଇଆସୁଛନ୍ତି। ଏହା ଆମେରିକାରେ ନିର୍ମିତ ଅସ୍ତ୍ରଶସ୍ତ୍ର ସହିତ କରାଯାଉଛି। ବାଲୁଚ୍ ଲୋକମାନେ ଆପଣଙ୍କୁ ପାକିସ୍ତାନର ୬୮୬ ନିୟୁତ ଡଲାରର ସୁରକ୍ଷା ପ୍ୟାକେଜ୍ ବନ୍ଦ କରିବାକୁ ଏବଂ ପାକିସ୍ତାନୀ ସେନାକୁ ଅନ୍ୟାନ୍ୟ ସୁରକ୍ଷା ସହାୟତା ବାତିଲ କରିବାକୁ ଅନୁରୋଧ କରୁଛନ୍ତି। ମୀର ୟାର କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଅସୀମ ମୁନିର ଶାହବାଜଙ୍କ ଦ୍ୱାରା ପ୍ରତାରିତ ହେଉଛନ୍ତି। ଆମେରିକାରୁ ଆସୁଥିବା ଅସ୍ତ୍ରଶସ୍ତ୍ର ପ୍ରତିରକ୍ଷା ପାଇଁ ବ୍ୟବହୃତ ହୁଏ ନାହିଁ, ସେଗୁଡ଼ିକୁ ବାଲୁଚ୍ ଅଞ୍ଚଳରେ ବୋମା ପକାଇବା ପାଇଁ ବ୍ୟବହୃତ ହୁଏ। ଆମର ମହିଳା ଏବଂ ପିଲାମାନେ ଏହି ଅସ୍ତ୍ରଶସ୍ତ୍ର ଦ୍ୱାରା ମୃତାହତ ହୋଇଛନ୍ତି। ପାକିସ୍ତାନୀ ସେନାକୁ ନୂତନ, ଘାତକ ଅସ୍ତ୍ରଶସ୍ତ୍ର ଯୋଗାଇବା ଦ୍ୱାରା ଆମ ବିରୁଦ୍ଧରେ ଅତ୍ୟାଚାର ବୃଦ୍ଧି ପାଇବ। ଚିଠିରେ ଟ୍ରମ୍ପଙ୍କୁ ଚେତାବନୀ ଦିଆଯାଇଛି ଯେ ପାକିସ୍ତାନର ଗୁଇନ୍ଦା ସଂସ୍ଥା, ଆଇଏସ୍ଆଇ, ଆମେରିକା ଏବଂ ଇସ୍ରାଏଲକୁ ଦୁର୍ବଳ କରିବା ପାଇଁ ଇରାନ ଏବଂ ତୁର୍କୀ ସହିତ ପରଦା ପଛରେ କାମ କରୁଛି। ଇରାନକୁ ଆମେରିକୀୟ F-16 ଜେଟ୍ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପାଇଁ ପ୍ରଯୁକ୍ତିବିଦ୍ୟା ଯୋଗାଇପାରେ ପାକିସ୍ତାନ ।














