ରାମ ମନ୍ଦିର ଆନ୍ଦୋଳନର ଜଣେ ପ୍ରମୁଖ ଚେହାରା ଥିବା ସନ୍ଥ ଓ ପୂର୍ବତନ ସାଂସଦ ଡାକ୍ତର ରାମ ବିଳାସ ଦାସ ବେଦାନ୍ତୀଙ୍କ ଆଜି ଦେହାନ୍ତ ହୋଇଛି । ସୋମବାର ସକାଳ ମଧ୍ୟ ପ୍ରଦେଶ ରୀୱା ଜିଲ୍ଲାରେ ୭୭ ବର୍ଷ ବୟସରେ ସେ ପ୍ରାଣ ତ୍ୟାଗ କରିଛନ୍ତି । ସେ ଏକ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ସେଠାରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ତାଙ୍କ ପାର୍ଥିବ ଶରୀର ଅଯୋଧ୍ୟାରେ ପହଁଚିବ । ମଙ୍ଗଳବାର ସକାଳ ୧୦ଟାରେ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏଥିରେ ଯୋଗ ଦେବେ। ଡକ୍ଟର ରାମ ବିଳାସ ଦାସ ବେଦାନ୍ତୀଙ୍କ ଜନ୍ମ ୭ ଅକ୍ଟୋବର ୧୯୫୮ରେ ରୀୱାର ଗୁଧୱା ଗାଁରେ ହୋଇଥିଲା । ସେ ନିଜ ଘର ସଂସାର ଛାଡ଼ି ଅଯୋଧ୍ୟା ଚାଲି ଆସିଥିଲେ , ମାତ୍ର ୧୨ ବର୍ଷ ବୟସରୁ ସେ ସନ୍ନ୍ୟାସ ଗ୍ରହଣ କରିଥିଲେ ଅଯୋଧ୍ୟାରେ ହନୁମାନଗଢ଼ୀରେ ମହନ୍ତ ଅଭିରାମ ଦାସଙ୍କ ଶିଷ୍ୟ ହୋଇଥିଲେ । ଅଯୋଧ୍ୟାରେ ବିବାଦୀୟ ବାବ୍ରୀ ମସଜିଦ ଢାଞ୍ଚା ଭଙ୍ଗା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ସାଂସଦ ଡାକ୍ତର ରାମ ବିଳାସ ଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୁରୁ ମହନ୍ତ ଅବେଦ୍ୟ ନାଥ ଏବଂ ରାମଚନ୍ଦ୍ର ଦାସ ପରମହଂସଙ୍କ ସହିତ, ରାମ ବିଳାସ ଦାସ ୧୯୯୦ ଦଶକରେ ରାମ ମନ୍ଦିର ଆନ୍ଦୋଳନର ଜଣେ ପ୍ରମୁଖ ବ୍ୟକ୍ତି ଥିଲେ । ସେ ବିଜେପିରୁ ଟିକେଟ୍ ପାଇ ଦୁଇଥର ସଂସଦକୁ ମଧ୍ୟ ନିର୍ବାଚିତ ହୋଇ ଯାଇଛନ୍ତି ।ଶ୍ରୀରାମ ମନ୍ଦିର ଆନ୍ଦୋଳନରେ ତାଙ୍କର ନେତୃତ୍ୱ ପାଇଁ ତାଙ୍କୁ ରାମ ମନ୍ଦିର ଜନ୍ମଭୂମି ଟ୍ରଷ୍ଟର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା।













