ଚଳିତ ବର୍ଷ ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା(NIA) ଜାମ୍ମୁ ସ୍ୱତନ୍ତ୍ର ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ୮ ମାସ ପରେ ଚାର୍ଜସିଟ୍ ଦାଖଲ କରିଛି ଏନଆଇଏ । ଏହି ଘଟଣାରେ ୬ ଜଣ ଅଭିଯୁକ୍ତ ରହିଛନ୍ତି । ତିନି ଜଣ ଆତଙ୍କବାଦୀ ଏବଂ ଅନ୍ୟ ତିନି ଜଣ ସେମାନଙ୍କୁ ପ୍ରଶ୍ରୟ ଦେବା ଅଭିଯୋଗରେ ଅଭିଯୁକ୍ତ ଅଟନ୍ତି । ପହଲଗାମ ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ୩ ଜଣ ସଦସ୍ୟଙ୍କୁ ଭାରତୀୟ ସେନା ଅପରେସନ ମହାଦେବ ଜରିଆରେ ନିହତ କରିଛି ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି । ଲସ୍କର-ଏ-ତୋଏବା ତାର ଆଉ ଏକ ସଂଗଠନ ଦ ରେସିଷ୍ଟେନ୍ସ ଫ୍ରଣ୍ଟ (ଟିଆରଏଫ୍) ନାମ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ଏଥିରେ ତିନି ଜଣ ଆତଙ୍କବାଦୀ ସାମିଲ ଥିଲେ । ସେମାନେ ହେଲେ ସୁଲେମାନ ଶାହ , ହମଜା ଏବଂ ଜିବ୍ରାନ । ଏମାନଙ୍କୁ ଅପରେସନ ମହାଦେବ ଜରିଆରେ ଭାରତୀୟ ସେନା ଏନକାଉଣ୍ଟର୍ କରିଛି । ଏମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ଅଭିଯୋଗରେ ବଶୀର ଅହମ୍ମଦ ଜୌଠର, ପରବେଜ ଅହମ୍ମଦ ଜୋଠର୍ ଏବଂ ମହମ୍ମଦ ୟୁସୁଫ କଟାରୀ ମଧ୍ୟ ଅଭିଯୁକ୍ତ ଅଟନ୍ତି । ବଶୀର ଏବଂ ପରବେଜ ଦୁଇ ଭାଇ ହୋଇଥିବାବେଳେ ସ୍ଥାନୀୟ ବାସିନ୍ଦା ଅଟନ୍ତି । ଏହି ଦୁଇ ଭାଇ ଆତଙ୍କବାଦୀଙ୍କୁ ଏପ୍ରିଲ ମାସରେ ହିଲ୍ ପାର୍କ ସ୍ଥିତ ଏକ ଝୁମ୍ପୁଡ଼ି ଘରେ ଲୁଚାଇ ରଖିଥିଲେ । ଏମାନଙ୍କୁ ଘଟଣାର ଦୁଇ ମାସ ପରେ ଜୁନ ୨୨ ତାରିଖରେ ଗିରଫ କରାଯାଇଥିଲା ।ପହଲଗାମରେ ହୋଇଥିବା ଆତଙ୍କବାଦୀ ଗୁଳିରେ ମୋଟ ୨୬ ଜଣ ପ୍ରାଣ ହରାଇଥିଲେ ।












