ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶେଷରେ ମୁହଁ ଖୋଲିଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିଦେବା ପରି ବିଷୟ ବର୍ବରତା ଓ ଅରାଜକତା ସୀମା ଟପୁଛି, ରାଜ୍ୟ ରାଜଧାନୀ ଅସୁରକ୍ଷିତ ହେଉଛି ବୋଲି ସେ କହିଛନ୍ତି। ନବୀନ ପଟ୍ଟନାୟକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ଭୟଶୂନ୍ୟ ହେଉଛନ୍ତି ଅପରାଧୀ। ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି? ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ। ଘଟଣା ଘଟିବା ପରେ ନୁହେଁ, ପୂର୍ବରୁ ଏହାକୁ ରୋକିବା ଦିଗରେ ସରକାର ତତ୍ପର ହୁଅନ୍ତୁ ବୋଲି ନବୀନ ଉଲ୍ଲେଖ କରି ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ଏହି ଘଟଣା ଧଉଳି ଥାନାରୁ ମାତ୍ର ୧ କିଲୋମିଟର ଦୂରରେ ଘଟିଥିଲେ ମଧ୍ୟ ପୁଲିସ ଏନେଇ ଯେପରି ସମ୍ବେଦନଶୀଳ ହେବା କଥା ସେପରି ହୋଇନାହିଁ। ଘଟଣାର ୫ ଦିନ ପରେ ପୁଲିସ କଟକ ଓଲଟପୁର ଅଞ୍ଚଳର କାଳନ୍ଦୀ ପାତ୍ର ଓ କଟକ ବାଙ୍କୀର ବିଭୁ ପ୍ରସାଦ ମିଶ୍ରକୁ ଗିରଫ କରିଛି। ହେଲେ ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଏପର୍ଯ୍ୟନ୍ତ ଧରି ପାରିନାହିଁ।














