ଓଡ଼ିଶା ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ନିଷ୍ପତ୍ତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ଏବେ ଏହା ଉପରେ ପୁନର୍ବିଚାର କରିବାକୁ ଦାବି ଜୋର ଧରିଛି। ଗୁରୁବାର ଦିନ ବିଜେପି ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶାସକ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଲୋକମତକୁ ସମ୍ମାନ ଜଣାଇ ଦରମା ବୃଦ୍ଧି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଜନସାଧାରଣଙ୍କ ଭାବନାକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଛି।ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁନବିର୍ଚାର ପାଇଁ ପ୍ରସ୍ତାବ ଲିଖିତ ଭାବେ ପ୍ରସ୍ତାବ ଦେଇଛନ୍ତି ସମସ୍ତ ବିଜେପି ବିଧାୟକ। ତେବେ ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯାଇଥିବା ସେ କହିଛନ୍ତି। ଡିସେମ୍ବର ୯ ତାରିଖରେ ଶୀତକାଳୀନ ଅଧିବେଶନ ସମୟରେ ବିଧାନସଭାରେ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ବିଲ୍ ପାରିତ ହୋଇଥିଲା। ଏଥିରେ ବିଧାୟକଙ୍କ ମୋଟ ଦରମା ଓ ଭତ୍ତା ୧ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୩ ଲକ୍ଷ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। ଯାହା ଦରମାର ପ୍ରାୟ ତିନି ଗୁଣ ପର୍ୟ୍ୟନ୍ତ ବଢ଼ିଥିଲା। ଏହା ସହିତ ପୂର୍ବତନ ବିଧାୟକଙ୍କ ପେନ୍ସନ୍ ରାଶିରେ ମଧ୍ୟ ବୃଦ୍ଧି ଘଟିଥିଲା। ଏହାପରେ ଦରମା ବୃଦ୍ଧିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା , ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମଧ୍ୟ ଜଣାଇଥିଲେ।














