ଆସନ୍ତା ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱ କପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଶନିବାର ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳ ଘୋଷଣା କରିଛନ୍ତି । ସୂର୍ଯ୍ୟ କୁମାର ଯାଦବ ଅଧିନାୟକ,କିନ୍ତୁ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଖରାପ ଫର୍ମ ପ୍ରଦର୍ଶନ ଜାରି ରଖିଥିବା ଶୁଭମନ ଗିଲ ଦଳରେ ସ୍ଥାନ ପାଇ ପରିନାହାଁନ୍ତି । ଅକ୍ଷର ପଟେଲ୍ ଉପ ଅଧିନାୟକ ଦାୟିତ୍ୱ ନେବେ । ବିସିସିଆଇ ସଚିବ ଦେବଜୀତ ସୈକିୟା ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ଆଜି ଘୋଷଣା ହୋଇଥିବା ଟିମ୍ ଆଗାମୀ ଜାନୁୟାରୀରେ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ହେବାକୁ ଟି-ଟ୍ୱେଣ୍ଟି ସିରିଜ୍ ମଧ୍ୟ ଖେଳିବେ । ଦୀର୍ଘ ଦୁଇ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଈଶାନ କିଶାନ । ୧୫ ସଦସ୍ୟ ଦଳରେ ୱିକେଟ୍ କିପର୍ ତଥା ବ୍ୟାଟ୍ସମ୍ୟାନ୍ ଈଶାନ କିଶନ ଏବଂ ମିଡିଲ୍ ଅର୍ଡର୍ ବ୍ୟାଟର୍ ରିଙ୍କୁ ସିଂହ ସାମିଲ ହେଇଛନ୍ତି । ଈଶାନ ଧିରେ ଧିରେ ଫର୍ମକୁ ଫେରୁଥିବାରୁ ବିସିସିଆଇ ଚୟନ କର୍ତ୍ତା ଟିମ୍ ତାଙ୍କୁ ଏହି ସୁଯୋଗ ଦେଇଛି । ଶୁଭମନ ଗିଲଙ୍କ ଦଳରୁ ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ସେ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ଉପଅଧିନାୟକ ଦାୟିତ୍ୱ ତୁଲାଉଥିଲେ । କାନ୍ଧରେ ଆଘାତ ଲାଗିବା ଯୋଗୁଁ ଟେଷ୍ଟ ସିରିଜ୍ ମାତ୍ର ଗୋଟିଏ ମ୍ୟାଚ୍ ଖେଳିପାରିଥିଲେ । ଟି-ଟ୍ୱେଣ୍ଟି ଦଳରେ ଅଛନ୍ତି, ସୂର୍ଯ୍ୟ କୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ୍ (ଉପ ଅଧ୍ୟନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର୍), ରିଙ୍କୁ ସିଂହ, ଯଶପ୍ରୀତ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂହ, କୁଲଦ୍ୱୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର ଓ ଇଶାନ କିଷାନ (ୱିକେଟ୍ କିପର୍) । ଟି-ଟ୍ୱେଣ୍ଟି ବିଶ୍ୱ କପ୍ ହାଇବ୍ରିଡ୍ ମୋଡରେ ଖେଳାଯିବ । ଭାରତ ଓ ଶ୍ରୀଲଙ୍କାରେ ମ୍ୟାଚ୍ ଖେଳାଯିବ । ଆସନ୍ତା ଫେବୃୟାରୀ ୭ ତାରିଖରୁ ଖେଳ ଆରମ୍ଭ ହେବ । ମାର୍ଚ୍ଚ ୨୦ରେ ଫାଇନାଲ୍ ମୁକାବିଲା ହେବ ।














