ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛତିଶଗଡ଼ ଅବକାରୀ ବିଭାଗ ଦୁର୍ନୀତି ଓ ମଦ ଘୋଟାଲାରେ ତଦନ୍ତ ରିପୋର୍ଟ ଦାଖଲ କରିଛି । ଚାର୍ଜସିଟରେ ଅଧିକ ୫୯ ଜଣ ଅଭିଯୁକ୍ତ ସହିତ ୮୧ ଜଣ ଅଭିଯୁକ୍ତ ସାମିଲ ଅଛନ୍ତି । ଇଡି ମଦ ଦୁର୍ନୀତି ମାମଲାରେ ୨୯,୮୦୦ ପୃଷ୍ଠାର ଦସ୍ତାବିଜ ଦାଖଲ କରିଛି । ଆର୍ଥିକ ନେଣଦେଣ, ସାମଗ୍ରୀ, କେଉଁ ମାଧ୍ୟମରୁ ଟଙ୍କା ନେଣଦେଣ ହୋଇଛି ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ପତ୍ର ଚାର୍ଜସିଟରେ ରଖା ଯାଇଛି । ଇଡି ପକ୍ଷ ଆଇନଜୀବୀ ସୌରଭ କୁମାର ପାଣ୍ଡେ ସୂଚନା ଦେଇଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନପୂର୍ବକ ପିଏମଏଲଏର ସ୍ୱତନ୍ତ୍ର ଅଦାଲତରେ ଇଡି ଚାର୍ଜସିଟ୍ ଦାଖଲ କରିଛି । ଏହି ମାମଲା ପ୍ରଥମେ ୨୨ ଜଣ ଅଭିଯୁକ୍ତଙ୍କ ନାମ ଜଡ଼ିତ ଥିଲା । ସେମାନଙ୍କ ମଧ୍ୟରୁ ଅନେକ ଅଭିଯୁକ୍ତକୁ ଗିରଫ କରାଯାଇଛି । ତଦନ୍ତ ପରେ ଏଥିରେ ମୋଟ ୫୯ ଜଣଙ୍କ ନାମ ରହିଛି । ନୂତନ ଅଭିଯୁକ୍ତଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ତତ୍କାଲୀନ ଉପ-ସଚିବ ସୌମ୍ୟା ଚୌରାସିଆ, ପୂର୍ବତନ ଆଇଏଏସ୍ ଅଧିକାରୀ ନିରଞ୍ଜନ ଦାସ, ମଦ ଲାଇସେନ୍ସ ଧାରକ, ବିତରକ ଏବଂ ଅବକାରୀ ବିଭାଗ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି । ଇଡି ଅନୁଯାୟୀ ୨୦୧୯ରୁ ୨୦୨୨ ମଧ୍ୟରେ ପ୍ରାୟ ୩୫୦୦ କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି । ଚଳିତ ବର୍ଷ ଜାନୁୟାରୀ ମାସରେ ଇଡି କଂଗ୍ରେସ ବିଧାୟକ ଏବଂ ପୂର୍ବତନ ଅବକାରୀ ମନ୍ତ୍ରୀ କବାସୀ ଲଖମା ଏବଂ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ଗିରଫ କରିଥିଲା । ଅର୍ଥ ନୈତିକ ଅପରାଧ ଶାଖା ଚୈତନ୍ୟ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିସାରିଛି ।













