ଉତ୍ତରାଖଣ୍ଡ ଡେରାଡୁନରେ ଜାତିଆଣ ଆକ୍ଷେପକୁ ନେଇ ଜଣେ ପଢ଼ୁଥିବା ଆଦିବାସୀ ଡାକ୍ତର ଛାତ୍ରଙ୍କୁ ନିର୍ମମ ଭାବରେ ପିଟିପିଟି ହତ୍ୟା କରାଯାଇଛି । ମୃତ ଛାତ୍ର ହେଲେ ତ୍ରିପୁରାର ଆଞ୍ଜେଲ୍ ଚକମା । ଆଞ୍ଜେଲ୍ ଡେରାଡୁନରେ ଜିଜ୍ଞାସା ବିଶ୍ୱବିଦ୍ୟାଳୟ ଏମବିଏରେ ଶେଷ ବର୍ଷ ଛାତ୍ର ଥିଲେ , ଡିସେମ୍ବର ୯ ତାରିଖରେ ଏହି ଘଟଣା ଘଟିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୨୭ ଆଞ୍ଜେଲଙ୍କର ମୃତ୍ୟୁ ହୋଇଛି । ଡିସେମ୍ବର ୯ ତାରିଖ ଦିନ ସନ୍ଧ୍ୟା ୬-୭ ଟା ସମୟରେ ସେଲାକ୍ୟୁର ଜିଜ୍ଞାସା ବିଶ୍ୱବିଦ୍ୟାଳୟରେ ଏମବିଏ ପଢ଼ୁଥିବା ଆଞ୍ଜେଲ ଚକମା ଓ ଉତ୍ତରାଞ୍ଚଳ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ତାଙ୍କ ସାନ ଭାଇ ମାଇକେଲ୍ ଚକମା କିଛି ସାମଗ୍ରୀ କିଣିବାକୁ ଦୋକାନ ଯାଇଥିଲେ । ସେମାନଙ୍କୁ ଦେଖି କିଛି ନିଶା ଶକ୍ତ ଯୁବକ ଜାତିଆଣ ଆକ୍ଷେପ କରିଥିଲେ । ଯେତେବେଳେ ଏଭଳି ଆକ୍ଷେପକୁ ଦୁଇ ଭାଇ ବିରୋଧ କରିଥିଲେ ସେତେବେଳେ ହିଂସା ହୋଇଥିଲା । ନିଶାସକ୍ତ ଅବସ୍ଥାରେ ଥିବା ସ୍ଥାନୀୟ ଯୁବକମାନେ ସେମାନଙ୍କୁ ବହୁତ୍ ମାଡ଼ ମାରିଥିଲେ । ମାଇକେଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ଆଞ୍ଜେଲଙ୍କ ବେକ ଏବଂ ପେଟରେ ଗଭୀର ଆଘାତ ଲାଗିଥିଲା । ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛନ୍ତି ଆଞ୍ଜେଲ୍ । ଆଞ୍ଜେଲଙ୍କ ମୃତ ଶରୀର ଶନିବାର ତ୍ରିପୁରାର ଅଗରତାଲାରେ ପହଁଚିଛି । ପରିବାର ସଦସ୍ୟ, ୟୁଥ୍ ଟିପ୍ରା ଫେଡେରେସନ୍ ଏବଂ ଟ୍ରାଇବାଲ୍ ଇଣ୍ଡେଜିନସ୍ ଷ୍ଟୁଟେଣ୍ଡସ୍ ଫେଡେରସନର ସଦସ୍ୟମାନେ ମହାରାଜା ବୀର ବିକ୍ରମ ବିମାନବନ୍ଦରରେ ପହଁଚି ମୃତ ଦେହକୁ ଗ୍ରହଣ କରିଛନ୍ତି । ଏହା ପରେ ତ୍ରିପୁରା ଅଶାନ୍ତ ହୋଇପଡ଼ିଛି । ପରିବାର ସଦସ୍ୟ ଅଭିଯୁକ୍ତ ମାନଙ୍କୁ କଠୋରରୁ କଠୋର ଦଣ୍ଡ ଦାବି କରିଛନ୍ତି ।













