ଭୁବନେଶ୍ବର : ଦଳ କ୍ଷମତାରେ । ଦଳକୁ କ୍ଷମତାକୁ ଆଣିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ କିଛି କମ୍ ପରିଶ୍ରମ କରି ନ ଥିଲେ । ଏମିତିକି ବିଜେଡି ସହ ମେଣ୍ଟ ନ କରି ଏକାକୀ ନିର୍ବାଚନ ଲଢିବାକୁ ଜିଦ୍ କରିଥିଲେ । ମାତ୍ର ଦଳ ଯେତେବେଳେ କ୍ଷମତାକୁ ଆସିଲା, ଭାଗ୍ୟ ସାଥ୍ ଦେଲା ନାହିଁ । ସେ ନିର୍ବାଚନ ହାରିଗଲେ । ମନ୍ତ୍ରୀମଣ୍ଡଳରେ କିଏ ରହିବ, କିଏ କୋଉ ବିଭାଗ ପାଇବ, ସେସବୁ ଚୟନ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲେ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ତାଙ୍କର ଭୂମିକା ଗୌଣ । କେବଳ ପରଦା ଆଢୁଆଳରେ ରହି ଯାହା ଗୋଟି ଚଳାଇବା କଥା । ମାତ୍ର ଏତିକିରେ ତାଙ୍କର ମନ ମାନୁନି । ସବୁ କଲାପରେ ଯଦି କୋଉଠି ଫଳକରେ ତାଙ୍କ ନାଁ ନ ରହିବ, ତା ହେଲେ ରାଜନୀତି କରି ଲାଭ କଣ । ମନମୋହନଙ୍କ ମନ କଥା ବି ବୁଝିଗଲେଣି ସରକାରୀ ବାବୁମାନେ । ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଭଦ୍ରକ ପୁରୁଣା ବାଇପାସ୍ ରାସ୍ତାର ପ୍ରଶସ୍ତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା । ଫଳକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ଗରିମାମୟ ଉପସ୍ଥିତିର ଶୀର୍ଷରେ ଥିଲା ମନମୋହନ ସାମଲଙ୍କ ନାଁ । ସେଥିରେ ମନମୋହନଙ୍କ ପଦବୀରେ ପୂର୍ବତନ ମନ୍ତ୍ରୀ ରାଜସ୍ବ, ଖାଦ୍ୟ ଓ ଖାଉଟି କଲ୍ୟାଣ ଲେଖାଯାଇଥିଲା । ଏଥିରୁ ବୁଝାପଡୁଛି ନିର୍ବାଚନ ହାରିଲେ ବି ମନମୋହନ ସାମଲ ସରକାରରେ ପୁରା ଲାଗିକି ରହିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ତାଙ୍କର ପୁରା ଲଗାମ୍ ରହିଛି । ନ ହେଲେ ପୂର୍ବତନ ମନ୍ତ୍ରୀଙ୍କ ନାଁ କୋଉକାଳେ ଭିତ୍ତିପ୍ରସ୍ତର ଫଳକରେ ଲେଖାଯାଉଥିଲା କହୁନାହାନ୍ତି ?














