ତିଳେଇବଣି ବିଡିଓଙ୍କୁ ମାଡ ମାରି ଗିରଫ ହୋଇଛନ୍ତି ଦେବଗଡ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ଦେବଗଡ ଏସଡିପିଓ ଦେଇଥିବା ସୂଚନା ଅନୁଯାୟୀ, ଦେବଗଡ ପୋଲିସ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରୁ ଗିରଫ କରିଛି । ଗତକାଲି ଦେବଗଡ ଥାନାରେ ତିଳେଇବଣି ବିଡିଓ କୃଷ୍ଁଚନ୍ଦ୍ର ଦଳପତି ଦେବଗଡ ଥାନାରେ ବିଧାୟକଙ୍କ ନାଁରେ ଏତଲା ଦେଇଥିଲେ । ବିଡିଓ ଦେଇଥିବା ଏତଲାରେ ଦର୍ଶାଇଥିଲେ, ସେ ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡି ଗାଁକୁ ଏକ ତଦନ୍ତରେ ଯାଇଥିବା ବେଳେ ତାଙ୍କୁ ଫୋନ୍ ଆସିଥିଲା । ଫୋନରେ ତୁରନ୍ତ ବିଧାୟକଙ୍କୁ ଭେଟିବାକୁ କୁହାଯାଇଥିଲା । ତିନିଥର ଫୋନ ଆସିଥିବା ବେଳେ ବିଡିଓ କୁଆଡେ କାମସାରି ଦେଖା କରିବେ ବୋଲି କହିଥିଲେ । କିନ୍ତୁ କିଛି ସମୟ ଭିତରେ ବିଧାୟକ ଓ ତାଙ୍କ ସମର୍ଥକମାନେ ଭାଲିଆଗୁଡି ଗାଁରେ ପହଞ୍ଚି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିବା ସହିତ ଅତର୍କିତ ଆକ୍ରମଣ କରିଥିଲେ । ବିଧାୟକ ଓ ତାଙ୍କ ସମର୍ଥକଙ୍କ ଆକ୍ରମଣରେ ବିଡିଓ ଆହତ ହୋଇଥିଲେ । ତେବେ ବିଡିଓ ଏତଲା ଦେବା ପୂର୍ବରୁ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ମଧ୍ୟ ଥାନାରେ ବିଡିଓଙ୍କ ବିରୋଧରେ ଦୁର୍ବ୍ୟବହାର କରିଥିବା ଏକ ମାମଲା ରୁଜୁ କରିଥିଲେ । ବିଧାୟକଙ୍କୁ ଦେବଗଡ ପୋଲିସ ଆଜି ଭୁବନେଶ୍ବରରୁ ଗିରଫ କରିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି । ବିଧାୟକଙ୍କ ଏତଲା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଉଦ୍ଦେଶ୍ୟମୂଳକ ଭାବେ ବିଧାୟକଙ୍କୁ ଗିରଫ କରାଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here