ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ସୋମବାର ଅପରାହ୍ନରେ ଜେସୋର ଜିଲ୍ଲାର ମୋନିରାମପୁରରେ ଗୁଳି କରି ହତ୍ୟା କରାଯାଇଛି। ଉଗ୍ରବାଦୀମାନେ ରାଣା ପ୍ରତାପ ବୈରାଗୀ ନାମକ ଜଣେ ୪୫ ବର୍ଷୀୟ ହିନ୍ଦୁ ବ୍ୟକ୍ତିଙ୍କୁ ଲୋକଙ୍କ ଆଗାରେ ହତ୍ୟା କରିଛନ୍ତି। ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ହିଁ ନେଉନି।ରାଣା ପ୍ରତାପ ବୈରାଗୀଙ୍କ ହତ୍ୟା ସମେତ ଗତ ତିନି ସପ୍ତାହ ମଧ୍ୟରେ ବାଂଲାଦେଶରେ ହିନ୍ଦୁ ଲୋକଙ୍କ ଉପରେ ଆକ୍ରମଣର ଏହା ପଞ୍ଚମ ଘଟଣା। ସୂଚନା ଅନୁଯାୟୀ, ରାଣା ପ୍ରତାପ ବୈରାଗୀ ଉପରେ ଅଚାନକ ଆକ୍ରମଣ କରାଯାଇଛି, ଏହି ଘଟଣା ପରେ ସେହି ଅଞ୍ଚଳରେ ଆତଙ୍କର ବାତାବରଣ ଦେଖା ଦେଇଛି , ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଣା ପ୍ରତାପଙ୍କ ମୃତଦେହକୁ ନେଇ ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀଙ୍କ ପରିଚୟ ଓ ହତ୍ୟା ପଛରେ ଥିବା ଉଦ୍ଦେଶ୍ୟର ସନ୍ଧାନ ଖୋଜୁଛି ପୋଲିସ। ଦିନକୁ ଦିନ ଏଭଳି ଘଟଣା ସମ୍ପ୍ରଦାୟ ମଧ୍ୟରେ ଭୟ ଏବଂ ଅସୁରକ୍ଷାର ବାତାବରଣ ସୃଷ୍ଟି କରିଛି। ମୋନିରାମପୁର ପୋଲିସ ଷ୍ଟେସନ ଅଧିକାରୀ ରାଜିଉଲ୍ଲାହ ଖାନ କହିଛନ୍ତି, ଆମେ ଘଟଣାସ୍ଥଳରେ ଉପସ୍ଥିତ ଅଛୁ। ମୃତଦେହ ଜବତ ସହ ପୋଷ୍ଟମର୍ଟମ ପାଇଁ ପ୍ରସ୍ତୁତି ଚାଲିଛି।ଏହା ପୂର୍ବରୁ ଡିସେମ୍ବର ୩୧ ସନ୍ଧ୍ୟାରେ ବାଂଲାଦେଶର ଶରିୟତପୁର ଜିଲ୍ଲାର ଡାମୁଦ୍ୟ ଉପଜିଲ୍ଲାର କୋନେଶ୍ୱର ୟୁନିଅନର କେଉରଭଙ୍ଗା ବଜାର ନିକଟରେ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କୁ ଏକ ଧର୍ମାନ୍ଧ ଜନତା ଛୁରି ଭୁସି ହତ୍ୟା କରିଥିଲେ ଏବଂ ପରେ ତାଙ୍କୁ ଦେହରେ ନିଆଁ ଲଗାଇ ଦେଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।














