ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଦୁର୍ଘଟଣାରେ ପହଞ୍ଚିଛନ୍ତି ଡିଜିସିଏର ଦୁଇଟି ଟିମ୍ । ବ୍ଲାକ ବକ୍ସ ମିଳିବା ପରେ ଯାଇ ଦୁର୍ଘଟଣାର କାରଣ ସ୍ପଷ୍ଟ ଜଣା ପଡିବ । ପରିବହନ ସଚିବ ଉଷା ପାଢୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ଅନୁଧ୍ୟାନ କରିଛନ୍ତି । କଟକ ଝଉଈ ଏବଂ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଦୁଇ ବରିଷ୍ଠ ଡାକ୍ତର ଅନୁପ ମହାପାତ୍ର ଏବଂ ଦେବାଶିଷ ସ୍ବାଇଁ ରାଉରକେଲା ଆସିଛନ୍ତି । ଉଭୟ ସ୍ନାୟୁ ଏବଂ କ୍ରିଟିକାଲ୍ କେୟାରର ଡାକ୍ତର ଅଟନ୍ତି। ସେମାନେ ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ଚିକିତ୍ସା ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଦୁର୍ଘଟଣାରେ ଗୁରୁତର ଦୁଇ ଯାତ୍ରୀ ସ୍ୱାମୀ-ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି । ବିମାନ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ସମେତ ୬ ଜଣ ଗୁରୁତର ହୋଇଥିଲେ । ବାକି ଅନ୍ୟ ୪ ଜଣଙ୍କୁ ରାଉରକେଲା ସ୍ଥିତ ଆଇଜିଏଚ ମେଡିକାଲରେ ଚିକିତ୍ସା ଜାରି ରହିିଛି । ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି- ମୁଖ୍ୟମନ୍ତ୍ରୀଙ୍କ ସାମଗ୍ରିକ ତତ୍ତ୍ୱାବଧାନରେ, ବାଣିଜ୍ୟ ଏବଂ ପରିବହନ ବିଭାଗ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଓଡ଼ିଶା ସରକାରଙ୍କ ଦ୍ୱାରା ରାଉରକେଲା ନିକଟରେ ସମ୍ପ୍ରତି ଘଟିଥିବା ଏକ ବିମାନ ଦୁର୍ଘଟଣା ପରେ ଏକ ତ୍ୱରିତ, ସମନ୍ୱିତ ଏବଂ ପ୍ରଭାବଶାଳୀ ପ୍ରତିକ୍ରିୟା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର, ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ବିମାନ କମ୍ପାନୀ ସହିତ ନିରବଚ୍ଛିନ୍ନ ସହଯୋଗ ଏବଂ ସମନ୍ୱୟ ପ୍ରଦାନ କରାଯାଉଛି।













