ଏବେବି ପାକିସ୍ତାନ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ଜାରି ରଖିଛି। ପାକିସ୍ତାନର ପ୍ରତିରକ୍ଷା ବିଭାଗ ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ନିଜ ଦେଶର ଯୁବପିଢ଼ିଙ୍କୁ ଉସୁକାଇବାକୁ ପଛଘୁଞ୍ଚା ଦେଇ ନାହାନ୍ତି। ମୁନୀର ଏବେ ଏକ ବିବାଦୀୟ ବୟାନ ଦେଇଛନ୍ତି। ମୁନିର କହିଛନ୍ତି ଯେ ପାକିସ୍ତାନ ଇସଲାମ ନାମରେ ସୃଷ୍ଟି ହୋଇଥିଲା ଏବଂ ଏହା ତା’ର ଲକ୍ଷ୍ୟ ଆଡ଼କୁ ଆଗକୁ ବଢ଼ୁଛି । ମୁନିର ନୱାଜ ସରିଫଙ୍କ ନାତି ଏବଂ ମରିୟମ ନୱାଜଙ୍କ ପୁଅ ଜୁନୈଦ ସଫଦରଙ୍କ ବିବାହ ସ୍ୱାଗତ ଉତ୍ସବରେ ଯୋଗ ଦେଇଥିଲେ। ଏକ ରିପୋର୍ଟ ଅନୁଯାୟୀ ଲାହୋରରେ ଏକ ଜନସମାବେଶକୁ ସମ୍ବୋଧିତ କରିବା ସମୟରେ ସେ କହିଥିଲେ, ପାକିସ୍ତାନର ମୂଳଦୁଆ ହେଉଛି ଇସଲାମ ଏବଂ ଏହା ନିଜର ଲକ୍ଷ୍ୟ ଆଡ଼କୁ ସମ୍ପୂର୍ଣ୍ଣ ଭାବରେ ଆଗକୁ ବଢ଼ୁଛି। ବିଶ୍ୱର ଇସଲାମିକ ଦେଶଗୁଡ଼ିକ ପାକିସ୍ତାନକୁ ଗୁରୁତ୍ୱ ଦେଉଛନ୍ତି। ଆମେ ଆଲ୍ଲାହଙ୍କ କୃପା ସହିତ ଆଗକୁ ବଢ଼ୁଛୁ ଏବଂ ଆମର ଉଦ୍ଦେଶ୍ୟରେ ସଫଳ ହେବୁ। ମୁନୀର ଅନେକ ଥର ଭାରତ ବିରୁଦ୍ଧରେ ବିଷ ମଧ୍ୟ ଓଗାଳିଛନ୍ତି କିନ୍ତୁ ଏବେ ପାକିସ୍ତାନରେ ପ୍ରତିବାଦର ସ୍ୱର ଉଠିବା ଆରମ୍ଭ ହୋଇଛି। ମୁନୀରଙ୍କ ବୟାନ ପରେ ଲୋକମାନେ ତାଙ୍କୁ ସମାଲୋଚନା କରୁଥିବାର ଦାବି କରାଯାଉଛି। ରିପୋର୍ଟ ଅନୁଯାୟୀ ମୁନୀର ତାଙ୍କ କାମ ପରିତ୍ୟାଗ କରି ଜଣେ ଧର୍ମଗୁରୁଙ୍କ ପରି ଧାର୍ମିକ ଉପଦେଶ ଦେଉଛନ୍ତି, ଯାହା ଉଗ୍ରବାଦକୁ ପ୍ରୋତ୍ସାହିତ କରୁଛି । ପୁର୍ବରୁ ସେ କହିଥିଲେ ଯେ ଆମେ ହିନ୍ଦୁଙ୍କଠାରୁ ଭିନ୍ନ ଏବଂ କାଶ୍ମୀରକୁ ପାକିସ୍ତାନର ଅଂଶ ବୋଲି ମଧ୍ୟ କହିଥିଲେ।













