ପରଲୋକରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଅଛି। ଜଣେ ଉଚ୍ଚ କୋଟିର ସଙ୍ଗୀତ ନିର୍ଦ୍ଦେଶକଙ୍କୁ ହରାଇ ସଙ୍ଗୀତ ଜଗତ ପୁରା ଶୋକାକୂଳ ହୋଇଯାଇଛି। ଏହି ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯେ, ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଆମ ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ନିଜର ନିଆରା ସଙ୍ଗୀତ ଶୈଳୀ ମାଧ୍ୟମରେ ସେ ଦୀର୍ଘ ଦଶନ୍ଧି ଧରି ଓଡ଼ିଆ ଶ୍ରୋତାଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତାଙ୍କର ଅକାଳ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।














