ଆଜି କଟକ ବାରବାଟୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ବଖାଣିବା ସହ ପୂର୍ବ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଆମେ ଇତିହାସକୁ ଗର୍ବର ସହ କାନ୍ଧରେ ବୋହି ଚାଲିଆସିଥିବା, ରୂପେଲି ନଗର କଟକର ବିଶାଳ ହୃଦୟ ଉପରେ ଠିଆ ହୋଇଛୁ। କଟକ କେବଳ ଏକ ପୁରାତନ ସହରର ନାଁମ ନୁହେଁ ବରଂ ଏହା ଆମ ଉତ୍କଳୀୟ ସଂସ୍କୃତି ଓ ସାମାଜିକ ପ୍ରତିବଦ୍ଧତାର ପ୍ରତୀକ ଅଟେ। କଟକର ଏହି ଗରିମାମୟ ମାଟିର ବାରବାଟୀ ଷ୍ଟାଡିୟମରେ ଆମେ ଆଜି ଆମ ପବିତ୍ର ସମ୍ବିଧାନର ଅସୀମ ଶକ୍ତି ଓ ଦୃଢ଼ତାଭରା ସମୟକୁ ଉତ୍ସାହ ଓ ଆବେଗର ସହ ପାଳନ କରୁଛୁ। ଗୁଣାତ୍ମକ ଶିକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ରଙ୍ଗମରା ସ୍କୁଲ ନୁହେଁ ବରଂ ଭିତ୍ତିଭୂମି ସମ୍ପନ୍ନ ବିଦ୍ୟାଳୟ ନିର୍ମାଣ ହେଇଛି। ଆୟୁଷ୍ମାନ ଭାରତ ଯୋଜନା ରାଜନୀତିର ଶିକାର ହୋଇଥିଲା। ଆମ ସରକାର ଆସିବା ପରେ ଏହାକୁ ଲାଗୁ କଲୁ,ଯାହା ଦ୍ୱାରା ସାଢ଼େ ୩ କୋଟି ଲୋକ ଉପକୃତ ହେଉଛନ୍ତି।ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଉଛୁ। ବାଲିଯାତ୍ରାକୁ ୟୁନେସ୍କୋର ମାନ୍ୟତା ପାଇଁ ଉଦ୍ୟମ ସଫଳ ହେବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ। ମହିଳା ବିରୋଧୀ ହିଂସାକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମହିଳା ବିରୋଧୀ ହିଂସାକାରୀଙ୍କ ଗୋଟିଏ ଠିକଣା ହେଉଛି ଜେଲ୍। ମହିଳା ବିରୋଧୀ ହିଂସାକୁ ବରଦାସ୍ତ କରାଯିବନାହିଁ। ଯେଉଁ ପର୍ଯ୍ୟନ୍ତ ମହିଳାଙ୍କ ବିକାଶ ହେବନି, ରାଜ୍ୟର ବିକାଶ ହୋଇପାରିବ ନାହିଁ। ନାରୀ ସୁରକ୍ଷା ଓ ନାରୀ ସମ୍ମାନ ଆମ ପାଇଁ ପ୍ରଥମ। ମହିଳା ହିଂସାରେ ପୂର୍ବ ସରକାର ସମୟରେ ଦଣ୍ଡବିଧାନ ହାର କମ୍ ଥିଲା। ହେଲେ ଆମେ କ୍ଷମତାକୁ ଆସିବା ପରେ ଦଣ୍ଡବିଧାନ ହାର ବଢ଼ିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୯୮୦ ମସିହା ପର୍ଯ୍ୟନ୍ତ ଦେଶର ଆର୍ଥିକ ଅଭିବୃଦ୍ଧି ହାର ବହୁତ କମ ରହୁଥିଲା କିନ୍ତୁ ୨୦୧୪ ପର ଅଭୁତପୂର୍ବ ପରିବର୍ତ୍ତନ ଆସିଛି। ଆଜି ମୋଦୀଙ୍କ ପାଇଁ ଦେଶର ଅର୍ଥନୀତି ବିଶ୍ଵର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇପାରିଛି ଏବଂ ଆସନ୍ତା କିଛି ବର୍ଷ ମଧ୍ୟରେ ବିଶ୍ଵର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରାୟ ୧୯ ମାସ ହେବ ଓଡିଶା ବି ଏହି ଦ୍ରୁତ ବିକାଶର ଯାତ୍ରୀ ହୋଇଛି। ରାଜ୍ୟବାସୀଙ୍କ ଭଲପାଇବା ଓ ଆଶୀର୍ବାଦ ଯୋଗୁଁ ସାଧାରଣ ଜନତାଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମ ସରକାର ଅନବରତ ଭାବେ କାର୍ଯ୍ୟକରୁଛି ଓ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।













