ଚୌଦ୍ଵାର ଜେଲରେ ଜଣେ କଏଦୀ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି । ଏପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ଜେଲ ୱାର୍ଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଏସସିବି ମେଡିକାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ କଏଦୀ ହେଲେ, କଟକ ଦରଘାବଜାର ଅଞ୍ଚଳର ମହମ୍ମଦ କଲିମ । ରବିବାର ସନ୍ଧ୍ୟାରେ ଜେଲ ପକ୍ଷରୁ ଅଭିଯୋଗ ପରେ ଚୌଦ୍ୱାର ପୁଲିସ ଆତ୍ମହତ୍ୟା ମାମଲା ରୁଜୁ କରିଛି । ସୋମବାର ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ। କଏଦୀ ଜଣକ ଗତ ଡିସେମ୍ୱର ୧୩ ତାରିଖରେ ଦରଘାବଜାର ଥାନା ପୁଲିସ ଦ୍ୱାରା ଗିରଫ ହୋଇ ଜେଲକୁ ଆସିଥିଲା। ଜେଲ ଭିତରେ ଏମିତି ନିଷ୍ପତ୍ତି କଣ ପାଇଁ ନେଲେ ତାହା ଏବେ ବଡ଼ ପ୍ରଶ୍ନ । ମହମ୍ମଦ କଲିମ ମାନସିକସ୍ତରରେ ଅସୁସ୍ଥ ଥିବାରୁ ତାଙ୍କୁ ଜେଲ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । କଲିମ ଡାକ୍ତରଖାନା ୱାର୍ଡ ଭିତରେ ରବିବାର ଅପରାହ୍ଣରେ ବେକରେ ଗାମୁଛାକୁ ଗୁଡାଇ ସ୍କାଏଲାଇଟରେ ବାନ୍ଧି ଝୁଲି ପଡ଼ିଥିଲେ। ବନ୍ଦୀ ଜଣକ ଡାକ୍ତରଖାନାରେ ଥିଲାବେଳେ ତାଙ୍କ ପାଖକୁ ଗାମୁଛାଟି କେମିତି ଆସିଲା ଓ ଡାକ୍ତରଖାନାରେ ରୋଗୀ ଚିକିତ୍ସିତ ହେଉଥିବାବେଳେ ସୁରକ୍ଷା କର୍ମୀ ଓ ଚିକିତ୍ସାରତ କର୍ମଚାରୀ କେଉଁଠି ଥିଲେ ଓ କ’ଣ କରୁଥିଲେ ସେନେଇ ପ୍ରଶ୍ନ ଉଠିଛି ।ତେବେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।














