ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାର କିଛି ସମୟ ପରେ, ଆମେରିକା ଭାରତ ଉପରେ ଶୁଳ୍କ ୨୫% ରୁ ୧୮% କୁ ହ୍ରାସ କରିଛି। ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରି ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ଚୁକ୍ତିନାମା ଘୋଷଣା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ଏହା ମଧ୍ୟ କହିଛନ୍ତି ଯେ ଭାରତ ଆଉ ରୁଷରୁ ତେଲ କିଣିବ ନାହିଁ ବରଂ ଭାରତ ଏବେ ଭେନେଜୁଏଲାରୁ ଅଧିକ ତେଲ କିଣିବ। ଟ୍ରମ୍ପ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ଏକ ସମ୍ମାନର କଥା। ସେ ମୋର ସବୁଠାରୁ ନିକଟତମ ବନ୍ଧୁଙ୍କ ମଧ୍ୟରୁ ଜଣେ ଓ ତାଙ୍କ ଦେଶର ଜଣେ ଶକ୍ତିଶାଳୀ ଏବଂ ସମ୍ମାନିତ ନେତା। ଆମେ ବାଣିଜ୍ୟ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିଛୁ। ଭାରତ ରୁଷରୁ ତେଲ କିଣା ବନ୍ଦ କରିବାକୁ ରାଜି ହୋଇଛି ଓ ଆମେରିକା ଏବଂ ଭେନେଜୁଏଲାରୁ ଅଧିକ ତେଲ କିଣିବାକୁ ମଧ୍ୟ ରାଜି ହୋଇଛି।ରାଷ୍ଟ୍ରପତି ଟ୍ରମ୍ପଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାରୁ ବଡ଼ ପରିମାଣର ଆମଦାନୀ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ଯେଉଁଥିରେ ୫୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଆମେରିକୀୟ ଶକ୍ତି, ପ୍ରଯୁକ୍ତିବିଦ୍ୟା, କୃଷି, କୋଇଲା ଏବଂ ଅନ୍ୟାନ୍ୟ ଉତ୍ପାଦ ସାମିଲ ଅଟେ। ଏହା ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବାରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବନ୍ଧୁତା ଓ ସମ୍ମାନ କାରଣରୁ ତାଙ୍କ ଅନୁରୋଧରେ, ଆମେ ଆମେରିକା ଏବଂ ଭାରତ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ପାଇଁ ରାଜି ହୋଇଛୁ ଏବଂ ଏହା ତୁରନ୍ତ କାର୍ଯ୍ୟକାରୀ ହେବ। ଏହା ଆଧାରରେ ଆମେରିକା ପାରସ୍ପରିକ ଶୁଳ୍କକୁ ୨୫% ରୁ ୧୮% କୁ ହ୍ରାସ କରିବ। ଭାରତ ମଧ୍ୟ ଆମେରିକା ବିରୁଦ୍ଧରେ ତାର ଶୁଳ୍କ ଏବଂ ଅଣ-ଶୁଳ୍କ ପ୍ରତିବନ୍ଧକକୁ ଶୂନ୍ୟ କରିବା ଦିଗରେ ଅଗ୍ରସର ହେବ।ଟ୍ରମ୍ପ କହିଛନ୍ତି ଯେ ଭାରତ-ଆମେରିକା ସମ୍ପର୍କ ଭବିଷ୍ୟତରେ ଆହୁରି ମଜବୁତ ହେବ ଏବଂ ଉଭୟ ନେତା ହେଉଛନ୍ତି କାର୍ଯ୍ୟକ୍ଷମ ନେତା।














