ଗତ ଫେବୃଆରୀ ୩ ତାରିଖରୁ ମଝି ସମୁଦ୍ରରୁ ସେ ନିଖୋଜ ହୋଇଯାଇଛନ୍ତି ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ର। ଏବେ ତାଙ୍କର କିଛି ପତ୍ତା ମିଳୁନାହିଁ, ଯାହାକୁ ନେଇ ପରିବାର ଲୋକେ ବହୁତ ଚିନ୍ତିତ ଅଛନ୍ତି। ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି। ସାର୍ଥକଙ୍କୁ ଖୋଜିବାରେ ସହାୟତା କରିବାକୁ ନବୀନ ପଟ୍ଟନାୟକ,କେନ୍ଦ୍ର ସରକାର, ସିପିଂ ମହାନିର୍ଦ୍ଦେଶକ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ତାଙ୍କୁ ଶୀଘ୍ର ଖୋଜିବା ପାଇଁ ପଦକ୍ଷେପ ନେବାକୁ ନବୀନ ଦାବି କରିଛନ୍ତି। ସୁଚନା ଅନୁଯାୟୀ,୨୩ ବର୍ଷୀୟ ସାର୍ଥକ ଜୁଲାଇ ୨୦୨୫ ରେ ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀର ସିପ୍ EA Jersey ରେ କ୍ୟାଡେଟ ଭାବେ ଯୋଗ ଦେଇଥିଲେ। ସିପ୍ ସିଙ୍ଗାପୁର ରୁ ଚାଇନକୁ ଫେରିବା ସମୟରେ ମଝି ସମୁଦ୍ରରେ ଗତ ୩ ତାରିଖରେ ଗାୟବ ହୋଇଯାଇଛନ୍ତି ।୩ ତାରିଖ ସକାଳ ୬ଟା ୧୫ରେ ତାଙ୍କୁ ଶେଷଥର ପାଇଁ କ୍ୟାବିନକୁ ଯାଉଥିବା ଦେଖାଯାଇଥିଲା। କିନ୍ତୁ ସକାଳ ପ୍ରାୟ ୮ଟା ୩୦ରେ ଚିଫ୍ ଅଫିସର ତାଙ୍କ କ୍ୟାବିନ ଯାଞ୍ଚ କରିବାକୁ ଯାଇଥିବାବେଳେ ତାହା ଖାଲି ଥିଲା। ଏହାପରେ ସମଗ୍ର ଜାହାଜରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ସେ ରହୁଥିବା ସ୍ଥାନ, ଡେକ୍ ଏବଂ ଅନ୍ୟାନ୍ୟ ଅଂଶକୁ ଯାଞ୍ଚ କରାଯାଇଥିଲା । କିନ୍ତୁ, ତାଙ୍କର କୌଣସି ସୂଚନା ମିଳି ନ ଥିଲା। ଏହା ପରେ ଜାହାଜର, ସାଧାରଣ ସତର୍କ ଘଣ୍ଟି ବଜାଯାଇ ସମସ୍ତ କ୍ରୁ ସଦସ୍ୟଙ୍କ ଗଣନା କରାଯାଇଥିଲା, ସେଠାରେ ସାର୍ଥକଙ୍କୁ ଛାଡ଼ି ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହା ପରେ ଜାହାଜର ଗତି କମାଇ ଦିଆଯାଇଥିଲା ଓ ସନ୍ଧାନ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା ଏବଂ ଜାହାଜରୁ ଏକ ବିପଦ ସଙ୍କେତ ଜାରି କରାଯିବା ସହ, ନିକଟସ୍ଥ ସାମୁଦ୍ରିକ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକୁ ଅବଗତ କରାଯାଇଥିଲା। ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର, ମରିସସ୍‌କୁ ମଧ୍ୟ ସତର୍କ କରାଯାଇଛି। ଆଖପାଖ ସମୁଦ୍ର ଅଞ୍ଚଳରେ ସନ୍ଧାନ ଅଭିଯାନ ଜାରି ରହିଛି। କମ୍ପାନୀ ତରଫରୁ ତାଙ୍କ ପରିବାରକୁ କେବଳ କୁହାଯାଇଛି, ସାର୍ଥକ ନଖୋଜ ଅଛନ୍ତି ଓ ତାଙ୍କୁ ସମୁଦ୍ର ମଝିରେ ଖୋଜା ଚାଲିଛି। କିନ୍ତୁ ଏବେ ଯାଏ ପୁଅ ସହ କଣ ହୋଇଛି, କେମିତି ନିଖୋଜ ହେଲେ ସେ ବିଷୟରେ କୌଣସି ସୂଚନା କମ୍ପାନୀ ତରଫରୁ ପାରିବାର ଲୋକଙ୍କୁ ଦିଆଯାଇନାହିଁ। ପୁଅକୁ ଉଦ୍ଧାର ପାଇଁ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ପରିବାର।

LEAVE A REPLY

Please enter your comment!
Please enter your name here