ବାଂଲାଦେଶରେ ଗତକାଲି ଜଣେ ହିନ୍ଦୁ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଉତ୍ତେଜନା ଦେଖାଯାଇଛି। ଫେବୃଆରୀ ୧୧ରେ ମୌଲଭିବଜାର ଜିଲ୍ଲାର କମଲଗଞ୍ଜ ଉପଖଣ୍ଡର ଏକ ଚା ବଗିଚାରୁ ହିନ୍ଦୁ ଯୁବକ ରତନ ସାହୁକରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ସୁଚନା ଅନୁଯାୟୀ, ପୋଲିସ କହିଛି ଯେ ତାଙ୍କ ହାତ ଗୋଡ ବନ୍ଧା ହେବା ସହ,ତାଙ୍କ ଶରୀରରେ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକମାନେ ସକାଳ ୧୦ଟା ସମୟରେ ଚମ୍ପାର ଚା ବଗିଚାରେ ରତନଙ୍କ ମୃତଦେହ ପାଇ ପୋଲିସକୁ ଖବର ଦେଇଥିଲେ। ମୃତଦେହ ରକ୍ତରେ ଜୁଡୁବୁଡୁ ଥିଲା ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା। କମଲଗଞ୍ଜ ଥାନା ପ୍ରଭାରୀ ଅବଦୁଲ ଆୱାଲ ନିଶ୍ଚିତ କରିଛନ୍ତି ଯେ ମୃତକ ରତନ ସାହୁକର, ସେହି ବଗିଚାରେ ଜଣେ ଶ୍ରମିକ ଏବଂ ଇସଲାମପୁର ୟୁନିଅନ ସହିତ ଜଡିତ ଥିଲେ। ପରିବାର ଲୋକେ ମଙ୍ଗଳବାରରୁ ରତନଙ୍କୁ ଖୋଜୁଥିଲେ। ତାଙ୍କ ବଡ଼ ଭାଇ ଲକ୍ଷ୍ମଣ କର କହିଛନ୍ତି, ଆମେ ସାରା ରାତି ତାଙ୍କୁ ଖୋଜାଖୋଜି କରିଥିଲୁ। ସକାଳେ ଆମେ ଖବର ପାଇଲୁ ଯେ ତାଙ୍କ ମୃତଦେହ ବଗିଚାରେ ପଡ଼ିଛି। ଆମେ ସେଠାରେ ପହଞ୍ଚି ତାଙ୍କୁ ଚିହ୍ନିପାରିଲୁ। ତାଙ୍କୁ କାହିଁକି ହତ୍ୟା କରାଯାଇଛି ତାହା ଆମେ ଜାଣିନାହୁଁ ଏବଂ ହତ୍ୟା ପଛର ଉଦ୍ଦେଶ୍ୟ ଜାଣିନାହୂ। ଜଣେ ବଗିଚାରେ କାମ କରୁଥିବା କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି ଯେ ରତନଙ୍କୁ ଅନ୍ୟ ଜାଗାରେ ହତ୍ୟା କରାଯାଇପାରେ ଏବଂ ପରେ ଗଛରେ ମୃତଦେହ ପକାଇ ଦିଆଯାଇଥାଇପାରେ। ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳିନାହିଁ। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।













