ଗଞ୍ଜାମର ବାଗଲପୁର ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ର ମର୍ଣି ୱାର୍କ ବେଳେ ମୃତ୍ୟୁ ବରଣ କରିଛନ୍ତି । ଗଞ୍ଜାମ ଜିଲ୍ଲା ବାଗଲପୁର ଗାଁରେ ଅଘଟଣ ଘଟିଛି । ସୁଚନା ଅନୁଯାୟୀ, ମିହିର ପ୍ରଧାନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ରହି ତିନି ବର୍ଷ ହେବ ପାଠ ପଢ଼ୁଥିଲେ। ଛାତ୍ର ଜଣକ ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଲେ । କିଛି ବାଟ ଯିବା ପରେ ସେ ହଠାତ ଚେତା ଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ଶିକ୍ଷକ ତୁରନ୍ତ ଛାତ୍ରଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇଁ ଛାତ୍ରଙ୍କ ପରିବାର ଲୋକେ ମେଡ଼ିକାଲରେ ପହଁଚିଥିଲେ । କିଛି ସମୟ ମେଡ଼ିକାଲରେ ଉତ୍ତେଜନା ଦେଖା ଦେଇଥିଲା ଓ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପୋଲିସ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଛାତ୍ରଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ମୃତ ଛାତ୍ର ମିହିର ପ୍ରଧାନଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଚାରି ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।













