ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ ଘଟୁଥିବା ବେଳେ ବିରୋଧୀ ସ୍ୱର ଉଠାଇଲେ ସରକାରୀ ଦଳ ଏହାକୁ ରାଜନୀତି ବୋଲି କହି ଏଡ଼ାଇ ଯାଉଛନ୍ତି। ତେବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ରାଜ୍ୟର ଆଇନଶୃଙ୍ଖଳା ଉପରେ ରିପୋର୍ଟ ତଲବ କରିବା ଏବଂ କିଛି ଦିନ ପୂର୍ବରୁ ଆମେରିକା ପକ୍ଷରୁ ଆଡଭାଇଜରି ଜାରି ହେବା ଘଟଣାର ଗାମ୍ଭୀର୍ଯ୍ୟକୁ ଦର୍ଶାଉଛି। ସରକାର ସଚେତନ ହେଉ ନଥିବାରୁ ଏବେ ରାଜଧାନୀ ମଧ୍ୟ ଅଶାନ୍ତ ହୋଇପଡ଼ିଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ମାତ୍ର ୪ ଦିନ ଭିତରେ ୫ ଜଣଙ୍କୁ ହତ୍ୟା କରାଯିବା ପ୍ରସଙ୍ଗକୁ ନେଇ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ରାଜ୍ୟ ସରକାର ତୁରନ୍ତ ଏକ “ଶ୍ୱେତପତ୍ର” ଜାରି କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଆଇନଶୃଙ୍ଖଳା ସ୍ଥିତି ଏପରି ଖରାପ ରହିଲେ ରାଜ୍ୟକୁ ଶିଳ୍ପ ଆସିବ ନାହିଁ କି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ଉନ୍ନତି ହୋଇପାରିବ ନାହିଁ ବୋଲି ଦଳ ଚେତାବନୀ ଦେଇଛି।ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି ଏବଂ ସରକାରଙ୍କ ଆୟତ୍ତରେ ଆଉ କିଛି ନାହିଁ। ଏହି କଥା ବିରୋଧୀ ବାରମ୍ବାର କହିଆସୁଥିଲେ ସୁଦ୍ଧା ବିଜେପି କେବଳ ରାଜନୀତିର ଆଖ୍ୟା ଦେଉଛି। ତେବେ ବର୍ଦ୍ଧିତ ଅପରାଧ ଓ ସମାଲୋଚନା ଭିତରେ ଶେଷରେ ବିଜେପି ମଧ୍ୟ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଛି।







