ଚୀନର ସିଚୁଆନରେ ଦେଖା ଦେଇଛି କିଛି ଉପଗ୍ରହ ଚିତ୍ର । ଉପଗ୍ରହ ଚିତ୍ରର ଅଧ୍ୟୟନରୁ ଜଣା ପଡିଛି ଯେ, ଚୀନ ସିଚୁଆନରେ ଗୁପ୍ତ ଭାବେ ଆଣବିକ ଅସ୍ତ୍ରଶସ୍ତ୍ରର ଘାଟି ତିଆରି କରି ସାରିଛି । ଏମିତି ଚାଞ୍ଚଲ୍ୟକର ତଥ୍ୟ ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ ସାମ୍ନାକୁ ଆସିଛି । ଜିଓସ୍ପେଶାଲ ଇଣ୍ଟେଲିଜେନ୍ସ ବିଶେଷଜ୍ଞଙ୍କ ଅନୁଯାୟୀ ୨୦୧୯ ପରଠୁ ଚୀନ ପରମାଣୁ ହତିଆରକୁ ନେଇ ଅଭିଯାନ ଜୋରଦାର କରିଛି ।
ସିଚୁଆନର ଜିଟଙ୍ଗ ନାମକ ଏକ ସ୍ଥାନରେ ପାହାଡିଆ ଘାଟି ମଧ୍ୟରେ ଚୀନ ବଡ ବଡ ବଙ୍କର ନିର୍ମାଣ କରିଛି । ଏଠାରେ ପାଇପର ଜାଲ ବିଛା ଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ପାହାଡ ଖୋଳି ପରମାଣୁ ଆଡ୍ଡା ତିଆରି କରାଯାଇଛି । ସମଗ୍ର ଦୁନିଆରେ ପରମାଣୁ ହତିଆରକୁ ନେଇ ଉତ୍ତେଜନା ପୂର୍ବରୁ ରହି ଆସିଛି ।ସେଥିପାଇଁ ଏହି ପ୍ରସଙ୍ଗକୁ ନେଇ ଆମେରିକା ଓ ଇରାନ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଆମେରିକା ଧମକ ଦେଉଛି ଯେ, ଯଦି ଇରାନ ସହ ଡିଲ୍ ନ ହୁଏ ତାହେଲେ ହମଲା କରାଯିବ । ଡୋନାଲ୍ଡ ଟ୍ରମ୍ପଙ୍କ ଅନୁଯାୟୀ ଚୀନ ଓ ରୁଷ ମିଶି ଆମେରିକା ସହିତ ଆଣବିକ ହତିଆର ନେଇ ଚୁକ୍ତି କରନ୍ତୁ । ପେଣ୍ଟାଗନର ରିପୋର୍ଟ ଅନୁସାରେ, ୨୦୨୪ ଶେଷ ସୁଦ୍ଧା ଚୀନ ପାଖରେ ୫୦୦ରୁ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ଥାଇପାରେ ଓ ୨୦୩୦ ସୁଦ୍ଧା ଏହି ସଂଖ୍ୟା ଏକ ହଜାର କରିବାକୁ ଲକ୍ଷ୍ୟ ରଖିଛି ଚୀନ ।କିନ୍ତୁ ଏବେବି ଚୀନ ଆଣବିକ ହତିଆରରେ ରୁଷ ଓ ଆମେରିକାଠୁ ବହୁତ ପଛରେ ରହିଛି । ଆଗାମୀ ୧୦ ବର୍ଷରେ ମଧ୍ୟ ଚୀନ ରୁଷର ସମକକ୍ଷ ହେବ ନାହିଁ । ବିଶେଷଜ୍ଞ କହିବା ଅନୁଯାୟୀ ଚୀନ ପାଖରେ ପରମାଣୁ ହତିଆର ବୃଦ୍ଧି ହେବା କେବଳ ଭାରତ ନୁହେଁ ବରଂ ସମଗ୍ର ଦୁନିଆ ପାଇଁ ଚିନ୍ତାର ବିଷୟ ଅଟେ ।














