ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଉପକାରଗାର ଜେଲର୍ ସନ୍ତୋଷିନୀ ଦାଶଙ୍କୁ ବଦଳି ପରେ କାର୍ଯ୍ୟରେ ଯୋଗ ନ ଦେବାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଜେଲ ଡିଜି । ସନ୍ତୋଷିନୀ ଦାଶ ଚୌଦ୍ୱାର ମଣ୍ଡଳ କାରାଗାରର ଜେଲର୍ ଥିଲେ । ଅକ୍ଟୋବର ମାସରେ ଦୁଇ ଜଣ ବିହାରୀ କଏଦୀ ଚମ୍ପଟ୍ ମାରିବା ପରେ ତାଙ୍କୁ କଣ୍ଟାବାଞ୍ଜି ଉପକାରାଗାରକୁ ବଦଳି କରାଯାଇଥିଲା ଓ ସେ ବିଭିନ୍ନ ସ୍ୱାସ୍ଥ୍ୟ ଗତ କାରଣ ଦର୍ଶାଇ ଦୀର୍ଘ ଦିନ ହେବ କାର୍ଯ୍ୟରେ ଯୋଗ ନ ଦେବାରୁ ଜେଲ୍ ଡିଜି ଜେଲରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୁଚନା ଅନୁଯାୟୀ, ଚୌଦ୍ୱାର କାରାଗାରରୁ ଦୁଇ ଦୁର୍ଦ୍ଦାନ୍ତ ବିହାରୀ କଏଦୀ ଫେରାର ହେବା ଘଟଣାରେ ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶ ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ନାଁରେ ଦସ୍ତଖତ ଜାଲିଆତିର ଅଭିଯୋଗ ଆଣିଥିଲେ । ଅଧୀକ୍ଷକ ରେଜିଷ୍ଟର୍ ସରକାରୀ ରେକର୍ଡରେ ଜାଲିଆତି ଓ ସରକାରୀ ପଦବୀର ଅପବ୍ୟବହାର କରିଥିବା ନେଇ ଥାନାରେ ଏତଲା ଦେଇଥିଲେ । ଏହି ଅଭିଯୋଗକୁ ସୁପରିଣ୍ଟେଣ୍ଡେଣ୍ଟ୍ ସୁଜିତ ରାଉଳ ଖଣ୍ଡନ କରିଥିଲେ ଓ ସନ୍ତୋଷିନୀଙ୍କ ନାଁରେ ଅଭିଯୋଗ କରିଥିଲେ ।














