କେନ୍ଦ୍ରାପଡାରେ ଜଣେ ୧୨ ବର୍ଷ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ୪ ଜଣ ଶିକ୍ଷକ ଗଣଦୁଷ୍କର୍ମ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଖବର ଆସିଛି । ଦୁଷ୍କର୍ମ କରିବାରେ ସେମାନଙ୍କୁ ଜଣେ ମହିଳା ସହାୟିକା ସାହାଯ୍ୟ କରୁଥିଲେ । ଏ ନେଇ ରାଜକନିକା ଥାନାରେ ଛାତ୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ରାଜକନିକାର ଏକ ଘରୋଇ ବିଦ୍ୟାଳୟରେ ଛାତ୍ରୀ ଜଣକ ସପ୍ତମ ଶ୍ରେଣୀରେ ପଢ଼ନ୍ତି । ଉକ୍ତ ବିଦ୍ୟାଳୟର ୪ ଜଣ ଶିକ୍ଷକ ଦୀର୍ଘ ଦିନ ହେବ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ଖେଳ ଛୁଟି ସମୟରେ ବିଦ୍ୟାଳୟର ଛାତ ଉପରକୁ ଡାକି ନେଇ ଏଭଳି ଘୃଣ୍ୟ କାମ କରୁଥିଲେ ଶିକ୍ଷକ । ଉକ୍ତ ୪ଜଣ ଶିକ୍ଷକଙ୍କୁ ସହଯୋଗ କରୁଥିଲେ ସ୍କୁଲର ଜଣେ ଶିକ୍ଷୟିତ୍ରୀ । ଯେଉଁଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ନିଜ ପରିବାରକୁ ଜଣାଇଥିଲେ । ପରିବାର ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଏକ ଟିମ ପୀଡ଼ିତାଙ୍କ ଘରେ ପହଞ୍ଚି ତାଙ୍କର ବୟାନ ରେକର୍ଡ କରିଛନ୍ତି ଓ ଥାନାରେ ଅଭିଯୋଗ ଦିଆଯାଇଛି । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସହାୟିକାଙ୍କ ସମେତ ୫ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।














