ନୂଆଦିଲ୍ଲୀ:ଏକ ହ୍ୟାକର୍ ଗ୍ରୁପ୍ SBIଗ୍ରାହକଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିଥିବା ଦାବି କରିଛି। ମିଳିଥିବା ରିପୋର୍ଟ ଅନୁସାରେ, ହ୍ୟାକର୍ ଗ୍ରୁପ୍ ଡାର୍କ ୱେବ୍‌ରେ ପ୍ରାୟ ୩,୭୫,୦୦୦ ଡାଟା ରୋ’ ଏବଂ ୨,୭୨୨ଟି ପିଡିଏଫ୍ (PDF) ଫାଇଲ୍ ଅପଲୋଡ୍ କରିଛି। ଏସବିଆଇ ନିଜ ସ୍ତରରେ କରିଥିବା ପ୍ରାଥମିକ ଯାଞ୍ଚରୁ ପ୍ରାୟ ୩,୮୯୭ ଜଣ ଗ୍ରାହକଙ୍କ ବ୍ୟକ୍ତିଗତ ପରିଚୟ ସହ ଜଡ଼ିତ ସୂଚନା (PII) ଲିକ୍ ହୋଇଥିବା ଜଣାପଡ଼ିଛି।ଲିକ୍ ହୋଇଥିବା ଏହି ଡାଟାରେ ଗ୍ରାହକଙ୍କ ଅତ୍ୟନ୍ତ ବ୍ୟକ୍ତିଗତ ତଥ୍ୟ ସାମିଲ ଅଛି। ଏଥିରେ ଗ୍ରାହକଙ୍କ ନାମ, ମୋବାଇଲ୍ ନମ୍ବର, ଜନ୍ମ ତାରିଖ, ଇମେଲ୍ ଆଇଡି, ଘର ଠିକଣା ଏବଂ ଲୋନ୍ ଆବେଦନ ସହ ଜଡ଼ିତ ବିବରଣୀ ରହିଥିବା କୁହାଯାଉଛି। ତେବେ ଏହି ଘଟଣା ପରେ ଏସବିଆଇ ନିଜର ସାଇବର ଇନ୍‌ସ୍ୟୁରାନ୍ସ ପଲିସି ଅଧୀନରେ କ୍ଷତିପୂରଣ ଦାବି କରିବାକୁ ପ୍ରସ୍ତୁତି ଚଳାଇଛି। ବ୍ୟାଙ୍କ ସରକାରୀ ବୀମା କମ୍ପାନୀ ‘ଓରିଏଣ୍ଟାଲ୍ ଇନ୍‌ସ୍ୟୁରାନ୍ସ’ଠାରୁ ୧,୪୨୫ କୋଟି ଟଙ୍କାର ସାଇବର ବୀମା ପଲିସି ନେଇଛି। କ୍ଷତିର ସମ୍ପୂର୍ଣ୍ଣ ଆକଳନ ହେବା ପରେ ବ୍ୟାଙ୍କ ବୀମା କ୍ଲେମ୍ ଫାଇଲ୍ କରିବ।ସୁରକ୍ଷା ଦୃଷ୍ଟିରୁ SBI ନିଜର ‘ସାଇବର ଇନ୍‌ସିଡେଣ୍ଟ ରେସ୍ପନ୍ସ’କୁ ସକ୍ରିୟ କରିଦେଇଛି। ଘଟଣାର ସତ୍ୟାସତ୍ୟ, ଡାଟା ଲିକ୍ ହେବାର ପ୍ରକୃତ କାରଣ ଏବଂ ସଠିକ୍ କ୍ଷତିର ପରିମାଣ ଜାଣିବା ପାଇଁ ବ୍ୟାଙ୍କ ‘CERT-In’ ପ୍ୟାନେଲ୍‌ରେ ଥିବା ଏକ ସ୍ୱାଧୀନ ସାଇବର ସୁରକ୍ଷା ଏଜେନ୍ସିକୁ ଯାଞ୍ଚ ଦାୟିତ୍ୱ ଦେଇଛି।

LEAVE A REPLY

Please enter your comment!
Please enter your name here