ଭୁବନେଶ୍ୱର ଧଉଳି ଲିଙ୍ଗିପୁର ନିକଟରେ ଏକ ସୁପରମାର୍ଟରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ତୃତୀୟ ମହଲାରେ ଲାଗିଥିଲା ନିଆଁ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଏତେ ଭୟଙ୍କର ଥିଲା ଯେ, ଏବେବି ଜଳୁଛି ସୁପରମାର୍ଟ। ରାତି ୧୦ ଟା ରୁ ଲାଗିଛି ଏହି ନିଆଁ। ୧୪ ଘଣ୍ଟା ହେଲା ଜଳୁଛି ସୁପରମାର୍ଟ। ବହୁତ ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡିଛି । ତୃତୀୟ ମହଲାରେ ଥିବା ଅନେକ ପ୍ଲାଇ,ପ୍ଲାଷ୍ଟିକରେ ନିଆଁ ଲାଗି ନିଆଁଟି ଭୟାନକ ରୂପ ନେଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଅଛି । ବର୍ତମାନ ସୁଦ୍ଧା ୪୦ଟି ଅଗ୍ନିଶମ ଗାଡି ନିଆଁ ଲିଭାରେ ନିୟୋଜିତ ଅଛନ୍ତି । ନିଆଁର କୋପ ଏତେ ତୀବ୍ର ଅଛି ଯେ ଆଖପାଖରେ ଥିବା ଦୋକାନ ଓ ମାର୍କେଟ କମ୍ପ୍ଲେକ୍ସକୁ ବ୍ୟାପିବାର ମଧ୍ୟ ସମ୍ଭାବନା ରହିଛି। ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ବିଦ୍ୟୁତ୍ ସର୍ଟ୍ ସର୍କିଟ୍ ଯୋଗୁଁ ଏହା ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଟିମ୍ ନିଆଁ ଲିଭାଇବାକୁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।














