ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିସାରିଛି । ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ୱର ହୋତା ତୃତୀୟ ଏବଂ ଚତୁର୍ଥ ପ୍ରାର୍ଥୀ ହୋଇଛନ୍ତି । ପ୍ରାର୍ଥୀ ଘୋଷଣା ପରେ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଗଣମାଧ୍ୟମ ସମ୍ମୁଖରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଓ କହିଛନ୍ତି ,ଦଳର ସମସ୍ତେ ମିଶି ଏହି ନିଷ୍ପତ୍ତି ନେଇ ନାହାଁନ୍ତି ଏହା ହେଉଛି ଏକପାଖିଆ ନିଷ୍ପତ୍ତି । ବିଜେଡ଼ି ନେତା ପ୍ରଭାତ ବିଶ୍ୱାଳ ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ କହିଛନ୍ତି ,ଯେଉଁମାନେ ପ୍ରକୃତକାର୍ଯ୍ୟ କରିଛନ୍ତି ସେମାନଙ୍କୁ ଦଳ ପୁରସ୍କାର ଦେଉ । ଦଳରେ କାମ କରିଥିବା କର୍ମୀଙ୍କୁ ଟିକେଟ୍ ଦିଅନ୍ତୁ । ରାତି ରାତି ଦଳ ପାଇଁ ପରିଶ୍ରମ କରିଛୁ ଓ କର୍ତ୍ତବ୍ୟ କରିଛୁ । ଦଳ ପ୍ରତି ଯେଉଁମାନେ କର୍ତ୍ତବ୍ୟ କରିଛନ୍ତି ସେମାନଙ୍କୁ ପୁରସ୍କାର ଦିଆଯାଉ । ଦଳର ବରିଷ୍ଠ ନେତୃତ୍ୱମାନେ ନିଷ୍ପତ୍ତି ନେବା ଦରକାର । ନୂଆପଡ଼ା ନିର୍ବାଚନ ପ୍ରସଙ୍ଗକୁ ନେଇ କହିଛନ୍ତି ଯେ, ଯେଉଁମାନେ ଦଳରେ ନୂଆ କରି ଆସିଛନ୍ତି ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ରହି କାମ କରିବା ଉଚିତ । ସେ କହିଛନ୍ତି ଯେ ଦଳର ଆଦର୍ଶକୁ କେବେ ବିକ୍ରି କରିନାହିଁ । ଦଳର ପାଣ୍ଠି ହଡ଼ପ ହୋଇଯାଇପାରେ ବୋଲି ସେ ଆଶଙ୍କା କରିଛନ୍ତି ଓ କହିଛନ୍ତି ,ଚାରି ହଜାର କୋଟି ଯିଏ ନେଇଛି ସିଏ ପ୍ରାର୍ଥୀ ହୋଇଛି । କିଏ ସେହି ପାଣ୍ଠି ନେଇଛି ତାକୁ ଖୋଜନ୍ତୁ । ସେହିପରି ଆଗାମୀ ଦିନରେ ଆଠ ହଜାର କୋଟି ବି ନେଇଯିବେ । କିଛି ନେତୃତ୍ୱ ତାଙ୍କ ପୋଷାକର ରଙ୍ଗ ପରିବର୍ତ୍ତନ କରିଦେଇଛି । କିଛି ନେତାଙ୍କ ପାଇଁ ସେ ଆଜି ଧଳା ପୋଷାକରୁ ନାଲି ପୋଷାକ ପିନ୍ଧୁଛନ୍ତି ବୋଲି କହିଛନ୍ତି । ସେ ଦଳ ପାଇଁ ନିଷ୍ଠାପର ସହିତ କାମ କରିଛନ୍ତି । ନିଜ ଆଦର୍ଶକୁ ସେ କେବେ ବନ୍ଧା ପକାଇ ନାହାଁନ୍ତି ଓ ଦଳର ଦାୟିତ୍ୱ ବରିଷ୍ଠ ନେତାମାନଙ୍କୁ ଦିଆଯାଉ ବୋଲି କହିଛନ୍ତି ।














