ବିଜେଡିରୁ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ବହିଷ୍କାର ହେବାପରେ ଏବେ ମୁହାଁମୁହିଁ ହୋଇଛନ୍ତି ପ୍ରଭାତ ବିଶ୍ୱାଳ ଓ ସାଂସଦ ଦେବାଶିଷ ସାମନ୍ତରାୟ । ଗତକାଲି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରଭାତ ବିଶ୍ୱାଳ, ପରୋକ୍ଷରେ ନବୀନ ପଟ୍ଟନାୟକଙ୍କ ସମାଲୋଚନା କରିଥିଲେ । ଏହା ପରେ ନବୀନଙ୍କ ନିର୍ଦ୍ଦେଶ କ୍ରମରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ପ୍ରଭାତ ବିଶ୍ବାଳ ସାଂସଦ ଦେବାଶିଷଙ୍କୁ କଡା ଟାର୍ଗେଟ୍ କରିଛନ୍ତି । ପ୍ରଭାତ କହିଛନ୍ତି, ଦେବାଶିଷ ସାମନ୍ତରାୟଙ୍କ ପାଇଁ ମୁଁ ଲାଲ୍ ପିନ୍ଧୁଛି । ମୁଁ କଣ ଲୋକେ ଜାଣନ୍ତି, ଦେବାଶିଷ ବାବୁଙ୍କୁ ବି ଜାଣନ୍ତି । ନିଜ ବେପାର କରିବାକୁ ସେ ବିଜୁ ଜନତା ଦଳରେ ମିଶିଛନ୍ତି । ଚିଟଫଣ୍ଡ ଦୁର୍ନୀତିରେ ଦେବାଶିଷଙ୍କର ହାତ ରହିଛି । ଗୁଣ୍ଡା ହୋଇ ସେ ଚାନ୍ଦା ଆଦାୟରେ ଲାଗି ପଡିଛନ୍ତି । ବେଳେ ବେଳେ ସେ କଣ କୁହନ୍ତି, କିଛି ଜାଣି ପାରନ୍ତି ନାହିଁ । ମୋ ବିରୋଧରେ ଚିଟଫଣ୍ଡ ଅଭିଯୋଗ କଲେ, ସିବିଆଇ କିଛି ପାଇଲାନି । ଦଳ ପାଇଁ ଭଲ କାମ କରି ବହିଷ୍କୃତ ହେଲି । ନବୀନ ବାବୁ ଜଣେ ଭଲ ମଣିଷ । କିନ୍ତୁ ପ୍ୟାରୀବାବୁ ଓ ପାଣ୍ଡିଆନଙ୍କ ଉପରେ ନିର୍ଭରଶୀଳ ଥିଲେ । ସଂତୃପ୍ତ ମିଶ୍ରଙ୍କ ସହ ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ଦେବାଶିଷଙ୍କ ଚରିତ୍ର ସମସ୍ତେ ଜାଣନ୍ତି । କୌଣସି ଉଦ୍ଦେଶ୍ୟ ରଖି ମୁଁ କିଛି କହି ନାହିଁ । ମୋ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ କଣ ପାଇଁ ନିଆଗଲା ମୁଁ ଜାଣିନାହିଁ ବୋଲି କହିଛନ୍ତି ପ୍ରଭାତ ବିଶ୍ଵାଳ।














