ଇରାନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଭାରତ ସରକାର ଆଲର୍ଟରେ ଅଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟଗୁଡିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଖାମେନିଙ୍କ ମୃତ୍ୟୁ ପରେ ଭାରତର ଅନେକ ସହରରେ ମଧ୍ୟ ବିରୋଧ ପ୍ରଦର୍ଶନ ହୋଇଥିଲା ଫେବୃଆରୀ ୨୮ରେ ଜାରି ପତ୍ରରେ ଚେତାବନୀ ଦିଆଯାଇଛି ଯେ, ଦୁନିଆରେ ହେଉଥିବା ଯୁଦ୍ଧର ପ୍ରଭାବ ଘରେ ମଧ୍ୟ ଦେଖିବାକୁ ମିଳିପାରେ ଓ ଧାର୍ମିକ ଆୟୋଜନରେ ହେଉଥିବା ବୟାନବାଜି ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଚିଠିରେ ଏହା ଉପରେ ଗୁରୁତ୍ୱ ଦିଆଯାଇଛି ଯେ, ଗୁଇନ୍ଦା ସୂଚନାକୁ ଯଥା ଶୀଘ୍ର ଦିଆଯାଉ ଏବଂ ସମୟ ପୂର୍ବରୁ ପଦକ୍ଷେପ ନିଆଯାଉ, ଯହାଦ୍ୱାରା ଆଇନ ଶୃଙ୍ଖଳା ବ୍ୟବସ୍ଥା ନ ବିଗଡେ ।ମାର୍ଗଦର୍ଶିକାରେ ଭାଷଣ ଏବଂ ବୟାନବାଜି କରୁଥିବା ନେତା ଓ ଲୋକଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ଏଏନଆଇ ଅନୁସାରେ, ଦିଲ୍ଲୀର ଅଧିକାରୀ ଏହାକୁ ନେଇ ଚିନ୍ତିତ କାରଣ ଅନ୍ତର୍ଜାତୀୟ ଘଟଣାକ୍ରମର ଫାଇଦା ଉଠାଇ ଚରମପନ୍ଥୀ ସଂଗଠନ ସ୍ଥାନୀୟ ସ୍ତରରେ ଉତ୍ତେଜନା ବଢାଇ ପାରନ୍ତି । ପିଟିଆଇ ଅନୁଯାୟୀ, ଇରାନର ଶୀର୍ଷ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ତାଙ୍କ ଦେଶ ଆମେରିକା ସହ ଆଲୋଚନା କରିବ ନାହିଁ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଥିଲେ ଯେ, ସେ ଇରାନର ନୂଆ ନେତୃତ୍ୱଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ । ହେଲେ ଇରାନ ଆମେରିକା ସହ କୌଣସି ପ୍ରକାରର ଆଲୋଚନା କରିବ ନାହିଁ ବୋଲି ସ୍ପଷ୍ଟ କରି ସାରିଛି ।














