ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରିଥିବା ମଧ୍ୟରେ ଇରାନର ରିଭଲ୍ୟୁସନରୀ ଗାର୍ଡ ସୋମବାର ଏକ ବଡ଼ ଘୋଷଣା କରିଛି ଓ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀକୁ ଜାହାଜ ପାଇଁ ବନ୍ଦ କରିଦିଆଯାଇଛି। ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଏହି ଷ୍ଟ୍ରେଟ୍ ଦେଇ ଯିବାକୁ ଚେଷ୍ଟା କରୁଥିବା ଯେକୌଣସି ଜାହାଜକୁ ନିଆଁ ଲଗାଇ ଦିଆଯିବ। ଏହି ନିଷ୍ପତ୍ତି ଇରାନ , ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷରେ ଏକ ବଡ଼ ପଦକ୍ଷେପ, ଯାହା ବିଶ୍ୱ ତୈଳ ବାଣିଜ୍ୟକୁ ବାଧାପ୍ରାପ୍ତ କରିପାରେ। ଇରାନର IRGCର ବରିଷ୍ଠ ପରାମର୍ଶଦାତା ବ୍ରିଗେଡିୟର ଜେନେରାଲ ସର୍ଦ୍ଦାର ଇବ୍ରାହିମ୍ ଜାବାରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ବନ୍ଦ ଅଛି। ଯଦି କେହି ସେହି ଦେଇ ଯିବାକୁ ସାହସ କରେ, ତେବେ ରିଭଲ୍ୟୁସନରୀ ଗାର୍ଡ ଏବଂ ନୌସେନା କର୍ମଚାରୀମାନେ ସେହି ଜାହାଜଗୁଡ଼ିକୁ ଜାଳି ଦେବେ।” ଏହା ପାରସ୍ୟ ଉପସାଗରର ଏକ ସଂକୀର୍ଣ୍ଣ ପଥ, ଯେଉଁଠାରୁ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତେଲ ଯାଏ। ଏହି ଯୋଗାଣର ଅଧିକାଂଶ ଏସିଆ, ବିଶେଷକରି ଚୀନକୁ ଯାଏ। ଏହି ଷ୍ଟ୍ରେଟ୍ ଏହାର ସଂକୀର୍ଣ୍ଣ ବିନ୍ଦୁରେ ପ୍ରାୟ ୩୩ କିଲୋମିଟର ଚଉଡା ଏବଂ ପାରସ୍ୟ ଉପସାଗରକୁ ଓମାନ ଉପସାଗର ସହିତ ସଂଯୋଗ କରେ। ଇରାନ ଏବଂ ଓମାନ ଏହାର ଜଳଭାଗକୁ ନିୟନ୍ତ୍ରଣ କରନ୍ତି। ଯଦି ଏଠାରେ ଯାତାୟାତ ବନ୍ଦ ହୁଏ, ତେବେ ତେଲ ମୂଲ୍ୟ ଆକାଶଛୁଆଁ ହେବ । ଇରାନ ଏହି ମାର୍ଗକୁ ଅନେକ ଥର ବନ୍ଦ କରିବାକୁ ଧମକ ଦେଇଛି। କିନ୍ତୁ ୧୯୮୦ ଦଶକର ଟ୍ୟାଙ୍କର୍ ଯୁଦ୍ଧ ପରଠାରୁ କେବେ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିନାହିଁ।













