ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଅସ୍ଥିର ହୋଇଛି ମଧ୍ୟପ୍ରାଚ୍ୟ ବଜାର । ଯୁଦ୍ଧର ପ୍ରଭାବରେ ଅଶୋଧିତ ତୈଳ, ସେୟାର ବଜାର , ତରଳୀକୃତ ପ୍ରାକୃତିକ ଗ୍ୟାସର ମୂଲ୍ୟକୁ ମଧ୍ୟ ପ୍ରଭାବିତ କରୁଛି। ଯଦି ପରିସ୍ଥିତି ସ୍ଵାଭାବିକ ନ ହୁଏ, ତେବେ ଆଗାମୀ ମାସଗୁଡ଼ିକରେ ଏହି ସାମଗ୍ରୀଗୁଡିକରେ ଦର ବୃଦ୍ଧି ହେବ। ଏହାର ପ୍ରଭାବ ବିଶେଷ ଭାବରେ ଭାରତ, ୟୁରୋପ ଏବଂ ଏସିଆର ଦେଶଗୁଡ଼ିକରେ ପଡିବ। ସରକାରୀ ସୂତ୍ର ଅନୁଯାୟୀ ଅଶୋଧିତ ତୈଳ, LPG ଏବଂ LNG ଭଣ୍ଡାର ମହଜୁଦ ରହିଛି। ଅଶୋଧିତ ତୈଳ ସଂରକ୍ଷଣ ସହିତ ୨୫ ଦିନର ଉତ୍ପାଦ ସଂରକ୍ଷଣ ଅଛି ।
ଇସ୍ରାଏଲ ଏବଂ ଆମେରିକାର ମିଳିତ ଅଭିଯାନରେ ଇରାନର ସର୍ବୋଚ୍ଚ ନେତା, ଆୟାତୋଲ୍ଲା ଖାମେନିଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ, ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ସହ କହିଛି ଇରାନ ତେଲର ଗୋଟିଏ ବୁନ୍ଦା ମଧ୍ୟ ହୋର୍ମୁଜ ଜଳମାର୍ଗ ଦେଇ ଯିବାକୁ ଦେବ ନାହିଁ। ଇରାନର ଧମକ ପରେ, ବିଶ୍ୱବ୍ୟାପୀ ତୈଳ ଯୋଗାଣ ହ୍ରାସ ପାଇବ ଏବଂ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । ଇରାନର ହୋର୍ମୁଜ ଜଳମାର୍ଗ ରାସ୍ତା ଦେଇ ଭାରତର ୨୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ ଏବଂ ରପ୍ତାନି ପରିଚାଳନା କରାଯାଏ। ଏହି ରାସ୍ତା ଦେଇ ଭାରତର ୪୦ ପ୍ରତିଶତ ତେଲ ଏବଂ ୫୦ ପ୍ରତିଶତ ଗ୍ୟାସ ପରିବହନ ହୁଏ। ତେଣୁ, ଏହି ରାସ୍ତା ବନ୍ଦ ହେବା ଭବିଷ୍ୟତରେ ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଇରାନ ଆମେରିକାକୁ ସମର୍ଥନ କରୁଥିବା ଉପସାଗରୀୟ ଦେଶଗୁଡ଼ିକୁ ମଧ୍ୟ ଆକ୍ରମଣ କରିଛି ଓ ସେମାନଙ୍କର ରିଫାଇନାରୀଗୁଡ଼ିକୁ ଆକ୍ରମଣ କରିଛି। ଯଦି ଯୁଦ୍ଧ ଅଧିକ ଦିନ ଦରି ଚାଲେ ତେବେ ଭାରତ ପାଇଁ ଅସୁବିଧା ବଢ଼ିପାରେ। ଏପରି ପରିସ୍ଥିତିରେ, ଭାରତ ପୁଣି ରୁଷରୁ ତେଲ କ୍ରୟ ବୃଦ୍ଧି କରିପାରେ। ରୁଷରୁ ତେଲ କିଣିବା ଭାରତ ପାଇଁ ଏକ ଶସ୍ତା ବିକଳ୍ପ।
ଜନତାଙ୍କ ଆଶ୍ୱସ୍ତି ପାଇଁ ତୈଳ ଦର ବୃଦ୍ଧି ହେବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସୂତ୍ରରୁ ସୂଚନା ମିଳିଛି। ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କୁହାଯାଉଛି।














