ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏଥିରେ ପଶ୍ଚିମ ଏସିଆରେ ଯୁଦ୍ଧ ପାଇଁ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ ଦ୍ରବ୍ୟର କୃତ୍ରିମ ଅଭାବଜନିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ପେଟ୍ରୋଲିୟମ, ଗ୍ୟାସ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ଅଛି । ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଯେପରି ଅତ୍ୟାବଶ୍ୟକ ଦ୍ରବ୍ୟ ଗୁଡ଼ିକର କଳାବଜାରୀ ନହୁଏ, ସେଥିପ୍ରତି ସଜାଗ ରହିବା ସହିତ ରାଜ୍ୟବ୍ୟାପୀ ଚଢ଼ାଉ କରି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଅନୁଯାୟୀ, ପେଟ୍ରୋଲ ଓ ପେଟ୍ରୋଲିୟମ ସାମଗ୍ରୀ ତଥା ଏଲ୍.ଏନ୍.ଜି ପାଇଁ ଭାରତ ବିଭିନ୍ନ ଗଲ୍‌ଫ ଦେଶମାନଙ୍କ ଉପରେ ନିର୍ଭର କରେ । ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ପାଇଁ ଉଭୟ ପେଟ୍ରୋଲ ଓ ଏଲ୍.ପି.ଜି ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟରେ ଏ ସବୁ ସାମଗ୍ରୀର ଉପଲବ୍‌ଧତା ଓ ବଣ୍ଟନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଏହି ବୈଠକ କରିଥିଲେ । ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସମସ୍ୟାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିବରଣୀ ରଖିଥିଲେ । ବୈଠକରେ ପେଟ୍ରୋଲ, ରନ୍ଧନ ଗ୍ୟାସ ଓ ସାର ଯୋଗାଣ ଯେପରି ଅବ୍ୟାହତ ରହିବ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here