ଓଡିଶାର ପଛୁଆ ଜିଲ୍ଲାରେ ପୁଳା ପୁଳା ଟଙ୍କା । ଯେତେ ଖୋଳିଲେ ସେତେ ବାହାରୁଛି । ଶୁକ୍ରବାର ସୁଦ୍ଧା ବଲାଙ୍ଗୀର ଦେଶୀ ମଦଭାଟିରୁ 176 ପେଟି ଟଙ୍କା ଜବତ ହୋଇଥିବା ବେଳେ ଆଜି ଲକରରୁ ବାହାରିଛି ଟଙ୍କା । ମେସିନ ମାଧ୍ୟମରେ ଗତ ତିନିଦିନ ଧରି ଟଙ୍କା ଗଣା ଚାଲିଥିଲେ ଗଣତି ସରିପାରୁନି । ତେବେ ଶୁକ୍ରବାର ସୁଦ୍ଧା ଜବତ 176 ପେଟି ମଧ୍ୟରୁ 76 ପେଟି ଗଣତି ସରିଥିବା ବେଳେ 70 କୋଟି ଟଙ୍କା ମିଳିଥିବା ଜଣାପଡିଛି । ଆହୁରି ଶହେ ପେଟି ଟଙ୍କା ଗଣା ଚାଲିଛି । ଆୟକର ବିଭାଗ ଚଢାଉ କରି ଏତେ ପରିମାଣର ଟଙ୍କା ଜବତ କରିଥିଲେ ହେଁ ଜବତ ଟଙ୍କାର ପରିମାଣ ସଂପର୍କରେ କିଛି ସ୍ପଷ୍ଟ କରିନି ।
ଗତ ବୁଧବାର ଦିନ ଟିଟିଲାଗଡ ଭାଟିପଡାରେ ଥିବା ରିତେଶ ସାହୁ ମଦ ଭାଟିରେ ଆୟକର ଟିମ୍ ଚଢାଉ କରିଥିଲା । ସେଠାରୁ ବିପୁଳ ପରିମାଣର ଟଙ୍କା ଜବତ ହେବା ପରେ ଗୁରୁବାର ରାତିରେ ବଲାଙ୍ଗୀର ସୁଦପଡାରେ ଥିବା ଦେଶୀ ମଦଭାଟିର ମ୍ୟାନେଜର ବଣ୍ଟି ଘରେ ଆୟକର ବିଭାଗ ସ୍କ୍ବାର୍ଡ ଚଢାଉ କରିଥିଲା । ଚଢଉ ବେଳେ ତା ଘରୁ 20 ପେଟି ଟଙ୍କା ଜବତ ହୋଇଥିଲା । ତା ପରିଦିନ ଅବକାରୀ ବିଭାଗ ଓ ଆୟକର ବିଭାଗ ମିଳିତ ସ୍କ୍ବାର୍ଡ ବଣ୍ଟିକ ଧରି ଭାଟି ଉପରେ ଚଢଉ କରିଥିଲେ । ଭାଟିରୁ 156 ପେଟି ଟଙ୍କା ଜବତ ହୋଇଥିଲା । ଆଜି ଭାଟିରେ ଥିବା ଏକ ଷ୍ଟିଲ ଲକରକୁ ଗ୍ୟାସ କଟରରେ କାଟି ଆହୁରି ପୁଳା ପୁଳା ଟଙ୍କା ଜବତ କରାଯାଇଛି । ଜବତ ଟଙ୍କାକୁ ଟିଟିଲାଗଡ ଏସବିଆଇ, ବଲାଙ୍ଗୀର ଏଶବିଆଇ ମୁଖ୍ୟ ଶାଖାରେ ଗଣତି କରାଯାଉଛି । ଶନିବାର ସୁଦ୍ଧା 70 କୋଟି ଟଙ୍କା ଗଣା ସରିଥିବା ବେଳେ ରବିବାର ସୁଦ୍ଧା ଟଙ୍କା ଗଣା ଶେଷ ହେବ ବୋଲି ଆଶା କରାଯାଉଛି । ତେବେ ଦେଶୀ ମଦଭାଟିରୁ ଏତେ ପରିମାଣର ଟଙ୍କା ଜବତ ହେବା ଘଟଣା ସମଗ୍ର ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଭାଟି ମାଲିକ ଦୀପକ ସାହୁ ଓ ସଞ୍ଜୟ ସାହୁ ଫେରାର ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here