ପୋକ୍ସୋ ଆକ୍ଟ ଅଧୀନରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ରଦ୍ଦ କରିବା ପାଇଁ ନୂତନ ନିୟମାବଳୀ ସ୍ଥିର କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ ଅପରାଧିକ ପ୍ରକ୍ରିୟାକୁ ରଦ୍ଦ କରିବା ଆଇନ ବିରୋଧୀ ନୁହେଁ, କିନ୍ତୁ ଏଥିପାଇଁ ସାବଧାନତାର ସହ ପୀଡ଼ିତାଙ୍କ ସମ୍ମତି ଏବଂ ପରିସ୍ଥିତିର ମୂଲ୍ୟାଙ୍କନ କରିବାକୁ ହେବ। ଅଦାଲତକୁ ଏହା ନିଶ୍ଚିତ କରିବାକୁ ହେବ ଯେ ପୀଡ଼ିତାଙ୍କ ଉପରେ କୌଣସି ଚାପ ନାହିଁ ଏବଂ ସେ ପ୍ରତାରିତ ହୋଇ ସମ୍ମତି ଦେଉନାହାଁନ୍ତି। ଏହାକୁ ନେଇ ଜଷ୍ଟିସ ଅନୁପ ଜୟରାମ ଭାମ୍ଭାନୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇ ପୋକ୍ସୋ ମାମଲା କେବେ ରଦ୍ଦ କରାଯାଇପାରିବ, ସେ ନେଇ କିଛି ନୀତି ନିର୍ଦ୍ଧାରଣ କରିଛନ୍ତି। କୋର୍ଟ କହିଛନ୍ତି ଯେ ଏପରି ମାମଲାଗୁଡ଼ିକୁ ରଦ୍ଦ କରିବା ପାଇଁ ତଥ୍ୟ ଏବଂ ପରିସ୍ଥିତିକୁ ଅତି ସାବଧାନତା ଓ ସମ୍ବେଦନଶୀଳତାର ସହ ବୁଝିବା ଆବଶ୍ୟକ। ଅଦାଲତ କହିଛନ୍ତି ଯେ ଯେତେବେଳେ ପୋକ୍ସୋ ଅଧୀନରେ କୌଣସି ଅପରାଧକୁ ରଦ୍ଦ କରିବା ପାଇଁ ଆବେଦନ କରାଯାଏ, ସେତେବେଳେ କୋର୍ଟଙ୍କୁ ଝିଅଟି କାହିଁକି କୌଣସି କ୍ଷତି ବା ଆଘାତ ପହଞ୍ଚିଛି ବୋଲି ମାନିବାକୁ ମନା କରୁଛି, ସେହି କାରଣଗୁଡ଼ିକର ସୂକ୍ଷ୍ମ ମୂଲ୍ୟାଙ୍କନ କରିବା ଉଚିତ। ସେ କୌଣସି ଚାପରେ ପଡ଼ି ଏପରି କହୁନାହାଁନ୍ତି, ଏଥିପ୍ରତି କୋର୍ଟ ନିଜର ସନ୍ତୁଷ୍ଟି ରେକର୍ଡ କରିବା ଆବଶ୍ୟକ। କୋର୍ଟ କହିଛନ୍ତି ଯେ, ସେହି ଅପରାଧୀମାନଙ୍କ ପ୍ରତି ସତର୍କ ରହିବା ଉଚିତ ଯେଉଁମାନେ ନିଜ ପକ୍ଷରେ ମାମଲା ରଦ୍ଦ କରିବା ପାଇଁ ପ୍ରତାରଣା ବା ଅସାଧୁ ଉପାୟ ଅବଲମ୍ବନ କରନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି ପୁଅ ଓ ଝିଅଙ୍କ ମଧ୍ୟରେ ବୁଝାମଣା ବା ବିବାହ ହୋଇସାରିଛି, ତେବେ ଅଦାଲତ ଦେଖିବାକୁ ହେବ ଯେ ଏହି ସମାଧାନ ପ୍ରକୃତରେ ସତ କି ନାହିଁ, ନା କେବଳ ଆଇନଗତ ପ୍ରକ୍ରିୟାରୁ ବଞ୍ଚିବା ପାଇଁ ଏହା କରାଯାଇଛି। ତାହାଲେ ଏହି ଜିନିଷଗୁଡ଼ିକ ଉପରେ ଧ୍ୟାନ ଦେବା ଜରୁରି ଅଟେ । ପ୍ରଥମେ ଉଭୟ ପକ୍ଷ ଦୀର୍ଘ ସମୟ ଧରି ଏକ ପରିବାର ପରି ଏକାଠି ରହୁଛନ୍ତି କି ନାହିଁ ? ଦ୍ୱିତୀୟରେ ଉଭୟଙ୍କର ସନ୍ତାନ ଅଛନ୍ତି କି, ଯାହାଙ୍କ ଭବିଷ୍ୟତ ମାମଲା ରଦ୍ଦ ନ ହେବା ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବ? ତୃତୀୟରେ ଅଭିଯୁକ୍ତଙ୍କ ବିରୋଧରେ ପୀଡ଼ିତାଙ୍କ ସହ କୌଣସି ପ୍ରକାରର ହିଂସା ବା ନିର୍ଯାତନା ଦେବାର ଅଭିଯୋଗ ଅଛି କି ନାହିଁ? ଚତୁର୍ଥରେ ସମ୍ପୃକ୍ତ ସମୟରେ ଅଭିଯୁକ୍ତ ଏବଂ କଥିତ ପୀଡ଼ିତାଙ୍କ ବୟସ କେତେ ଥିଲା?













