ଭାରତର କୁଖ୍ୟାତ ଡ୍ରଗ୍ ମାଫିଆ ସଲିମ ଡୋଲାକୁ ତୁର୍କୀରେ କାବୁ କରାଯାଇଛି। ତୁର୍କୀର ଇସ୍ତାମ୍ବୁଲରେ ଏମ୍ଆଇଟି ଏବଂ ପୋଲିସର ମିଳିତ ଅଭିଯାନରେ ସଲିମ ଡୋଲାକୁ ଗିରଫ କରାଯାଇଛି। ସେ ଅଣ୍ଡରୱର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଜଣେ ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି। ଇଣ୍ଟରପୋଲ୍ ଦ୍ୱାରା ଖୋଜା ଚାଲିଥିବା ସଲିମ ଡୋଲା ନକଲି ୟୁଏଇ ଆଇଡି ସହ ଲୁଚି ରହିଥିଲା। ସେ ଦୀର୍ଘ ଦିନ ଧରି ଆନ୍ତର୍ଜାତୀୟ ଡ୍ରଗ୍ ଚୋରା ଚାଲାଣ ନେଟୱାର୍କକୁ ପରିଚାଳନା କରୁଥିଲା। ସୂତ୍ର ଅନୁଯାୟୀ, ସଲିମ ଡୋଲା ଗ୍ଲୋବାଲ ସିନ୍ଥେଟିକ୍ ଡ୍ରଗ୍ ନେଟୱାର୍କ ସହ ଜଡ଼ିତ ଥିଲା ଏବଂ ଏହାର ଚେର ଅନେକ ଦେଶରେ ଲମ୍ବିଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଏହି ଡ୍ରଗ୍ ରାକେଟର ସମ୍ପର୍କ ଭାରତର ମୋଷ୍ଟ ୱାଣ୍ଟେଡ୍ ଅଣ୍ଡରୱର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ନେଟୱାର୍କ ସହ ମଧ୍ୟ ଥିବା କୁହାଯାଉଛି। କୁଖ୍ୟାତ ଡ୍ରଗ୍ ମାଫିଆ ସଲିମ ଡୋଲା ପ୍ରଥମେ ମୁମ୍ବାଇ ଓ ପରେ ଦୁବାଇରୁ ତାର ସମ୍ପୂର୍ଣ୍ଣ ଡ୍ରଗ୍ ସିଣ୍ଡିକେଟ୍ ଚଳାଉଥିଲା। ଅଧିକାରୀଙ୍କ କହିବା ଅନୁଯାୟୀ, ଇସ୍ତାମ୍ବୁଲରେ ତାକୁ ଟ୍ରାକ୍ କରାଯାଇଥିଲା, ଯେଉଁଠାରେ ସେ UAE ର ନକଲି ପରିଚୟ ପତ୍ର ବ୍ୟବହାର କରି ଲୁଚି ରହିଥିଲା। ୨୦୨୫ ଅକ୍ଟୋବରରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସଲିମ ଡୋଲାର ପ୍ରମୁଖ ସହଯୋଗୀ ମହମ୍ମଦ ସଲିମ ସୋହେଲ ଶେଖକୁ ଦୁବାଇରୁ ଭାରତ ଆଣିଥିଲା। ନଭେମ୍ବର ୨୦୨୫ରେ ମୁମ୍ବାଇ ପୋଲିସ ସଲିମ ଡୋଲାର ପୁଅ ତାହିର ଡୋଲା ସମେତ ତାର ପରିବାରର ଚାରି ଜଣ ସଦସ୍ୟଙ୍କୁ ଦୁବାଇରୁ ଭାରତ ଆଣି ଗିରଫ କରିଥିଲା । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସଲିମ ଡୋଲା ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏହା ସହିତ ତା’ ବିରୋଧରେ ରେଡ୍ କର୍ନର୍ ନୋଟିସ୍ ମଧ୍ୟ ଜାରି କରାଯାଇଛି। ସଲିମ ଡୋଲା ଦୁବାଇରୁ ତାର ନେଟୱାର୍କକୁ କଣ୍ଟ୍ରୋଲ କରୁଥିଲା ଏବଂ ଭାରତରେ ଡ୍ରଗ୍ସ ସପ୍ଲାଏ କରିବାର ଏକ ବଡ଼ ଚ୍ୟାନେଲ ସମ୍ଭାଳୁଥିଲା। ସୁରକ୍ଷା ଏଜେନ୍ସିଙ୍କ କହିବା ମୁତାବକ, ତା’ ପାଖରେ ସାଉଦି ଆରବର ପାସପୋର୍ଟ ଅଛି।ସୁରକ୍ଷା ଏଜେନ୍ସିଙ୍କ ମତରେ ସଲିମ ଡୋଲାର ଗିରଫଦାରୀରୁ ଅନେକ ବଡ଼ ଖୁଲାସା ହେବାର ସମ୍ଭାବନା ଅଛି, ଯାହା ଦ୍ୱାରା ସମ୍ପୂର୍ଣ୍ଣ ନେଟୱାର୍କର ପର୍ଦ୍ଦାଫାଶ ହୋଇପାରିବ।













