କେନ୍ଦୁଝର:କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲ୍ଲିପଶି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ସମ୍ମୁଖରେ ସୋମବାର ଏକ ହୃଦୟବିଦାରକ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ, ଡ଼ିଆନାଳି ଗାଁର ଜିତୁ ମୁଣ୍ଡାଙ୍କ ଭଉଣୀ କଲରା ମୁଣ୍ଡାଙ୍କ ୨ ମାସ ପୂର୍ବେ ମୃତ୍ୟୁ ଘଟି ଥିଲା। ପୂର୍ଵରୁ ତାଙ୍କ ସ୍ବାମୀ ଓ ଏକ ମାତ୍ର ସନ୍ତାନଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା l କଲରାଙ୍କ ସମ୍ପର୍କୀୟ କହିଲେ, ଜିତୁ ହିଁ ଏକ ମାତ୍ର ବ୍ୟକ୍ତି ଥିଲେ । ବ୍ୟାଙ୍କରେ ତାଙ୍କ ନାମରେ ଥିବା ୧୯,୩୦୦ ଟଙ୍କାର ଜମା ରାଶି ଉଠାଇବା ପାଇଁ ଜିତୁ ଦୁଇ ଦିନ ପୂର୍ବେ ବ୍ୟାଙ୍କ ଯାଇଥିଲେ। ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ନିୟମର ଦୁହାଇ ଦେଇ ଟଙ୍କା ଦେବାକୁ ମନା କରିବା ସହ ମୃତକଙ୍କ ସ୍ୱାମୀ କିମ୍ବା ପୁଅ-ଝିଅଙ୍କୁ ଆଣିବାକୁ କହିଥିଲେ। ସହାୟତା ପାଇବା ପରିବର୍ତ୍ତେ ବାରମ୍ବାର ନିରାଶ ହେବା ପରେ, ବିବଶ ହୋଇ ଜିତୁ ମଶାଣିରୁ ଭଉଣୀର ଶବ ଖୋଳି ଆଣି ବ୍ୟାଙ୍କ ଆଗରେ ରଖିଥିଲେ। ଏହି ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ଜମିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।















