ଭୁବନେଶ୍ୱର:ବିଜେଡିରୁ ନିଲମ୍ବିତ ହୋଇଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ଦାବିରେ ସୋମବାର ବିଜୁ ଜନତା ଦଳ ର ଏକ ପ୍ରତିନିଧି ଦଳ ବାଚସ୍ପତିଙ୍କୁ ଭେଟିଛନ୍ତି। ବିଜେଡି ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସମ୍ବିଧାନର ଧାରା ୧୯୧(୨) ଏବଂ ଦଶମ ଅନୁସୂଚୀ (ଦଳବଦଳ ନିରୋଧୀ ଆଇନ) ଅନୁଯାୟୀ ଯେଉଁ ୮ ଜଣ ବିଧାୟକ ଦଳର ହ୍ୱିପକୁ ଅମାନ୍ୟ କରିଛନ୍ତି, ସେମାନଙ୍କ ସଭ୍ୟପଦ ରଦ୍ଦ ହେବା ଉଚିତ୍। ଅରୁଣ ସାହୁ ଅଭିଯୋଗ କରିଛନ୍ତି ଯେ, “ଏହି ୮ ଜଣ ବିଧାୟକ ରାଜ୍ୟସଭା ନିର୍ବାଚନ ସମୟରେ ଦଳର ନିର୍ଦ୍ଦେଶକୁ ବେଖାତିର କରି ନିଜ ଇଚ୍ଛା ମୁତାବକ ଭୋଟ୍ ଦେଇଛନ୍ତି। କେବଳ ସେତିକି ନୁହେଁ, ସର୍ବସାଧାରଣରେ ଦଳ ବିରୋଧରେ ବିବୃତ୍ତି ଦେଇଛନ୍ତି, ଯାହାକି ସ୍ୱେଚ୍ଛାକୃତ ଭାବେ ଦଳ ଛାଡ଼ିବା ସହ ସମାନ। ଆମେ ଆଇନ ବିଶେଷଜ୍ଞଙ୍କ ସହ ବିସ୍ତୃତ ଆଲୋଚନା କରିବା ପରେ ଏହି ନିଷ୍କର୍ସରେ ପହଞ୍ଚିଛୁ ଏବଂ ବାଚସ୍ପତିଙ୍କୁ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛୁ।















