ଭୁବନେଶ୍ୱର:ଦେଶର ଖଣିଜ ଅର୍ଥନୀତି ଓ ଶିଳ୍ପ ଅଭିବୃଦ୍ଧିରେ ଓଡ଼ିଶାର ଗୁରୁତ୍ୱ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ପ୍ରାୟ ୪୭୧ ମିଲିଅନ୍ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ ହୋଇଥିବା ବେଳେ ଏଥିରୁ ପ୍ରାୟ ୪୬ ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଛି । ଏ କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅହୁରି ସକ୍ରିୟ ସହଯୋଗ ଆବଶ୍ୟକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କ ସହିତ ଆଲୋଚନା କରି ଏହା କହିଛନ୍ତି। ଓଡ଼ିଶାରେ ଯେଉଁ ଖଣିଜ ବ୍ଲକ୍ ଗୁଡ଼ିକ ନିଲାମ ହୋଇଛି, ତାହାର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଥିଲେ । ଏହାସହିତ ଶାଶୁବୋହୂମାଳୀ ବକ୍ସାଇଟ ବ୍ଲକ୍ ଓ ଠାକୁରାଣୀ ଲୁହାପଥର ବ୍ଲକ୍ OMC କୁ ପ୍ରଦାନ କରିବା ପାଇଁ ସେ ଖଣିମନ୍ତ୍ରୀଙ୍କୁ କହିଥିଲେ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଥିଲେ ଯେ, ଖଣି କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ଆଦି ବିଭିନ୍ନ ବିଭାଗର ସହଯୋଗର ଆବଶ୍ୟକତା ରହିଛି । ଏଥିପାଇଁ ସମସ୍ତ ମନ୍ତ୍ରାଳୟ ଓ ରାଜ୍ୟ ସରକାର ମିଶି ଏକ ଉଚ୍ଚସ୍ତରୀୟ ବୈଠକ ଜରିଆରେ ସମସ୍ତ ବିଷୟ ଗୁଡ଼ିକ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ ।ବୈଠକରେ ଖଣିଜ ଅଞ୍ଚଳର ବିକାଶ ଓ ସ୍ଥାନୀୟ ଲୋକଙ୍କର କଲ୍ୟାଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ତଥା DMF ପାଣ୍ଠି ଏବଂ କମ୍ପାନୀମାନଙ୍କର CSR ପାଣ୍ଠିକୁ ଖଣିଜ ଅଞ୍ଚଳରେ ଏକ ସମନ୍ୱିତ ପ୍ରଣାଳୀରେ (Integrated Approach) କାର୍ଯ୍ୟକାରୀ କରି ସମ୍ପୂର୍ଣ୍ଣତା ବା ସାଚୁରେସନ୍ ହାସଲ କରିବା ପାଇଁ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଏଥିପାଇଁ ଓଡ଼ିଶାରେ ସି.ଏମ୍. ସମ୍ପଦା ନାମକ ଏକ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।ଏଥିରେ ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ, ନେଭେଲି ଲିଗନାଇଟ କର୍ପୋରେସନ, ସିଙ୍ଗାରେନୀ କୋଲିଆରିଜ୍ କମ୍ପାନୀ ଲିମିଟେଡ, ନାଲ୍କୋ, ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ଆଦି ସଂସ୍ଥାର ଉଚ୍ଚ ପଦାଧିକାରୀମାନେ ଯୋଗ ଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।














