ଭୁବନେଶ୍ୱର: ସମସ୍ତ ସରକାରୀ ଅଫିସରେ ଇଭି ଗାଡ଼ି ଭଡ଼ାରେ ନେଇ ବ୍ୟବହାର କରିବା ବାଧ୍ୟତାମୂଳକ ହୋଇଛି। ବ୍ଲକ ଓ ତହସିଲଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବ୍ୟବହାର ପାଇଁ ମାସିକ ଗାଡ଼ିଭଡ଼ା ଧାର୍ଯ୍ୟ ହୋଇଛି। ଗୁରୁବାର ଅର୍ଥ ବିଭାଗ ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମା ପିଛିଲା ଭାବେ ଜୁନ୍ ୧ରୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ଓଡିଶା ଅର୍ଥ ବିଭାଗ ପକ୍ଷରୁ ଜାରି କାର୍ଯ୍ୟାଳୟ ସ୍ମାରକ ଅନୁସାରେ, ବିଭିନ୍ନସ୍ତରର ସରକାରୀ ଅଫିସର ଓ ଜନପ୍ରତିନିଧିମାନଙ୍କ ପାଇଁ ଗାଡ଼ିର ମାସିକ ସର୍ବାଧିକ ଭଡ଼ା ସୀମା ସ୍ଥିର କରାଯାଇଛି, ଯେଉଁଥିରେ ପ୍ରଯୁଜ୍ୟ ଟିକସ ଓ ଚାର୍ଜିଂ ଖର୍ଚ୍ଚକୁ ସାମିଲ କରାଯାଇ ନାହିଁ।ବ୍ଲକ ଓ ତହସିଲସ୍ତର ପାଇଁ ସର୍ବାଧିକ ମାସିକ ଭଡ଼ା ୫୫ହଜାର ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ପ୍ରଶାସନିକ ବିଭାଗ ବା ବିଭାଗୀୟ ମୁଖ୍ୟଙ୍କ ପୁଲ୍ ଭେହିକିଲ୍, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକ ଓ ଜିଲ୍ଲାସ୍ତରୀୟ ଗାଡ଼ି ପାଇଁ ଏହି ସୀମା ୫୦ହଜାର ଟଙ୍କା ରଖାଯାଇଛି। ସେହିପରି ଜିଲ୍ଲା ଜଜ୍, ଜିଲ୍ଲାପାଳ ଓ ଜିଲ୍ଲା ପୁଲିସ ଏସପିଙ୍କ ପାଇଁ ସର୍ବାଧିକ ୬୦ହଜାର ଟଙ୍କା ଏବଂ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ କମିଶନର-ତଥା-ସଚିବ ପାହ୍ୟାର ଅଧିକାରୀଙ୍କ ପାଇଁ ୬୫ହଜାର ଟଙ୍କା ମାସିକ ଭଡ଼ା ସ୍ଥିର ହୋଇଛି। ରାଜ୍ୟ ମୁଖ୍ୟ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର ଓ ରାଜସ୍ୱ ପର୍ଷଦର ସଦସ୍ୟମାନଙ୍କ ପାଇଁ ଏହି ସର୍ବାଧିକ ଭଡ଼ା ୭୦ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ସେହିପରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟାନ୍ୟ ବିଚାରପତି ଓ ମନ୍ତ୍ରୀମାନଙ୍କ ବ୍ୟବହାର ପାଇଁ ମାସିକ ସର୍ବାଧିକ ୮୦ହଜାର ଟଙ୍କା ପର୍ଯ୍ୟନ୍ତ ଇଭି ଗାଡ଼ି ଭଡ଼ାରେ ନିଆଯାଇପାରିବ ବୋଲି ଅର୍ଥ ବିଭାଗର ସ୍ମାରକରେ ଉଲ୍ଲେଖ ରହିଛି। ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଇଭି ଗାଡ଼ିର ମୂଳ ଭଡ଼ାରେ ଚାର୍ଜିଂ ଖର୍ଚ୍ଚ ସାମିଲ କରାଯାଇନାହିଁ। ସେବା ପ୍ରଦାନକାରୀ ସଂସ୍ଥାକୁ ଗାଡ଼ି ଚାର୍ଜିଂ ବାବଦରେ ପ୍ରତି କିମି ପିଛା ୨ ଟଙ୍କା ହିସାବରେ ଅତିରିକ୍ତ ଦେୟ ମିଳିବ। ଯଦି ରାଜ୍ୟ ସରକାର ନିଜେ ଚାର୍ଜିଂ ଖର୍ଚ୍ଚ ବହନ କରନ୍ତି ତେବେ ସେବା ପ୍ରଦାନକାରୀ ସଂସ୍ଥାକୁ ଏହି ଚାର୍ଜିଂ ଅର୍ଥ ଦିଆଯିବ ନାହିଁ । ଏହି ଇଭି ଗାଡ଼ି ଭଡ଼ା ଆଗାମୀ ଦୁଇ ବର୍ଷ ପାଇଁ ଲାଗୁ ରହିବ l ଏହାବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓଡ଼ିଶା ଅକ୍ଷୟଶକ୍ତି ବିକାଶ ଏଜେନ୍ସି (ଓରେଡ଼ା) ମାଧ୍ୟମରେ ଟେଣ୍ଡର ଦରରେ ସର୍ବାଧିକ ୩୦୦ଟି ଇଭି ଗାଡ଼ି ଭଡ଼ାରେ ଆଣିପାରିବେ। ଟେଣ୍ଡର ମାଧ୍ୟମରେ ଧାର୍ଯ୍ୟ ଭଡ଼ା ଦେୟକୁ ଓରେଡ଼ାକୁ ପ୍ରଦାନ କରିବେ। କେବଳ ମୂଳ ସରକାରୀ ଅଫିସ ନୁହେଁ, ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ସରକାରୀ ଉଦ୍ୟୋଗ, ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ ଓ ସମିତିଗୁଡ଼ିକ ପାଇଁ ମଧ୍ୟ ଏହି ନିୟମ ସମାନ ଭାବେ କାର୍ଯ୍ୟକାରୀ ହେବ l













