ନୂଆଦିଲ୍ଲୀ: ସୁପରଷ୍ଟାର ତଥା ଟିଭିକେ (TVK) ମୁଖ୍ୟ ଥାଲାପତି ବିଜୟ ନିଜ ଦଳର ପ୍ରଥମ ରାଜ୍ୟସଭା ଆସନଟିକୁ କଂଗ୍ରେସକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଜୟଙ୍କ ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ପରେ ଡିଏମକେ (DMK) ଆନୁଷ୍ଠାନିକ ଭାବେ ‘ଇଣ୍ଡିଆ’ (INDIA) ବ୍ଲକରୁ ଅଲଗା ହେଉଥିବା ଘୋଷଣା କରିଛି। ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସର ମନୋଭାବ ଯୋଗୁଁ ସେମାନଙ୍କ ଦଳୀୟ କର୍ମୀମାନେ ଆଘାତ ପାଇଛନ୍ତି ବୋଲି ଡିଏମକେ ନେତାମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟିଭିକେର ଏହି ପ୍ରଥମ ରାଜ୍ୟସଭା ଆସନକୁ ନେଇ ଦଳ ଭିତରେ ବେଶ୍ ଉତ୍ସାହ ଥିଲା। ଅନେକ ବରିଷ୍ଠ ନେତା ଏହି ଆସନଟି ଦଳର କୌଣସି ନେତାଙ୍କୁ ଦିଆଯାଉ ବୋଲି ଦାବି କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଆଭିମୁଖ୍ୟ ଭିନ୍ନ ଥିଲା। ବିଗତ ଦିନରେ ଟିଭିକେକୁ ସମର୍ଥନ କରିଥିବାରୁ କଂଗ୍ରେସ ପ୍ରତି କୃତଜ୍ଞତା ଜଣାଇବା ସ୍ୱରୂପ ବିଜୟ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।












