ନୂଆଦିଲ୍ଲୀ : ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ଥିବା ପ୍ରସିଦ୍ଧ ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱାଙ୍କ ଫିଟନେସ୍ ସେଣ୍ଟର ଉପରେ ଗୁଳିମାଡ଼ ହୋଇଛି । ବାଇକରେ ଆସିଥିବା ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜିମକୁ ଟାର୍ଗେଟ୍ କରି ଅନେକ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି । ଘଟଣାକୁ ନେଇ କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସୋସିଆଲ ମିଡିଆ ପୋଷ୍ଟରେ ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଛି ।ବିଷ୍ଣୋଇ ଗ୍ୟାଙ୍ଗର ଅନିଲ ପଣ୍ଡିତ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ସଲମାନଙ୍କ ନିକଟତର ହେଉଛି, ତେଣୁ ଗୁରୁ ରନ୍ଧାୱା ଜିମ୍ ଉପରେ ଫାୟାରିଂ କରାଇଛୁ । ସେ ଆହୁରି ମଧ୍ୟ ପୋଷ୍ଟରେ ଲେଖିଛନ୍ତି, ରାମ ରାମ ସବୁ ଭାଇଙ୍କୁ, ଯାହା ଆଜି ”୨୪ଏଚ୍ଏସ୍ ଫିଟନେସ୍” ଜିମ୍ ଉପରେ ଫାୟାରିଂ ହୋଇଛି ।ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନଙ୍କର ଅତି ନିକଟତର ହେଉଥିବାରୁ ଏହା ତାଙ୍କ ପାଇଁ ଏକ ଚେତାବନୀ ଥିଲା । ଏହାସହ ଆଗକୁ ଶତ୍ରୁମାନଙ୍କ ଉପରେ ଏଭଳି ଆକ୍ରମଣ ଜାରି ରହିବ ବୋଲି ସେ ଧମକ ଦେଇଛି । ଦିଲ୍ଲୀ ପୋଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ବୃତ୍ତମାନଙ୍କକୁ ଚିହ୍ନଟ କରିବା ସହ ଜିମ୍ ଚଲାଉଥିବା ସ୍ଥାନୀୟ ମାଲିକଙ୍କୁ ପଚରାଉଚରା କରୁଛି ।ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏବଂ ସଲମାନ ଖାନଙ୍କ ମଧ୍ୟରେ ଥିବା ଏହି ବିବାଦ ୧୯୯୮ ମସିହାର କୃଷ୍ଣସାର ମୃଗ ଶିକାର ମାମଲାରୁ ଆରମ୍ଭ ହୋଇଥିଲା । ବିଷ୍ଣୋଇ ସମ୍ପ୍ରଦାୟ କୃଷ୍ଣସାର ମୃଗକୁ ପବିତ୍ର ମାନୁଥିବାରୁ ସେବେଠାରୁ ଏହି ଗ୍ୟାଙ୍ଗ ସଲମାନ ଏବଂ ତାଙ୍କ ସହଯୋଗୀଙ୍କ ପଛରେ ପଡ଼ିଛି ।













